ସୌମ୍ୟରଞ୍ଜନ ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ନାଣ୍ଡୁ ନୁହେଁ, ହୁକୁନୁ; ୫ ଗିରଫ By Swadhikar News Last updated Feb 21, 2026 କଟକ ନୂଆପଡ଼ା ପ୍ରେସ୍କଲୋନି ପୁରୁଣା କ୍ବାର୍ଟର୍ସରେ ଖଟି ବେଳେ ଯୁବ କ୍ରିକେଟର୍ ସୌମ୍ୟରଞ୍ଜନ ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ସଂପୃକ୍ତ ନାଣ୍ଡୁ ଓରଫ ଅଭିଜିତ ମହାନ୍ତି ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଭୁବନେଶ୍ବର ଘାଟିକିଆରେ ଥିବା ଏକ ହୋଟେଲରେ ନାଣ୍ଡୁ ଲୁଚିଥିଲା। ପୁଲିସ ତାକୁ ଗିରଫ କଲାପରେ ପୂରା ହତ୍ୟା ଷଡ଼୍ଯନ୍ତ୍ରର ରହସ୍ୟ ସାମନାକୁ ଆଣିଛି। ନାଣ୍ଡୁ ଗିରଫ ହେବା ପରେ ସୌମ୍ୟଙ୍କୁ ସେ ନୁହେଁ, ହୁକୁନୁ ଓରଫ ଉତ୍କଳ କେଶରୀ ପଶାୟତ ଗୁଳି କରିଥିଲା ବୋଲି ପୁଲିସ ଆଗରେ କହିଛି। କିନ୍ତୁ ଏହି ହତ୍ୟାର ସବୁଦୋଷ ନିଜ ମୁଣ୍ଡରୁ ଖସାଇବାକୁ ହୁକୁନୁ ନାଣ୍ଡୁକୁ ଟଙ୍କା ଲୋଭ ଦେଖାଇଥିଲା। ନାଣ୍ଡୁକୁ ଜେରା ପରେ ପୁଲିସ ନୂଆପଡ଼ାର ଉତ୍କଳ ପଶାୟତ ଓରଫ ହୁକୁନୁ(୩୦), ନୂଆପଡ଼ାର ରୁଦ୍ରପ୍ରସାଦ ଚାନ୍ଦ ଓରଫ ଓମ୍(୨୨), ନୂଆପଡ଼ାର ବାଉଁ ଓରଫ ହିମାଂଶୁ ଶେଖର ନାୟକ(୩୦), ଖପୁରିଆ ଲେବର୍ କଲୋନିର ନାଣ୍ଡୁ ଓରଫ ଅଭିଜିତ ମହାନ୍ତି(୨୫) ଓ ବୟାଳିଶମୌଜା ଦଧିବାମନପୁରର ପୋଡ଼ା ଓରଫ ଗୁଡ଼ୁ ପ୍ରିୟବ୍ରତ ତ୍ରିପାଠୀ(୨୫)କୁ ଗିରଫ କରିଛି।ପୁଲିସ ସୂଚନା ଅନୁସାରେ, କଳାହାଣ୍ଡିର ତାଣ୍ଡି ନିକଟରୁ ନାଣ୍ଡୁ ଏହି ବନ୍ଧୁକ ଆଣିଥିବା ପୁଲିସ ଆଗରେ କହିଛି। ଗତ ୧୮ ତାରିଖ ଘଟଣା ଦିନ ପ୍ରାୟ ୧୧ଟା ବେଳେ ପ୍ରେସ୍ କଲୋନିର ପରିତ୍ୟକ୍ତ କ୍ବାର୍ଟର୍ସରେ ସୌମ୍ୟରଞ୍ଜନ ଓରଫ ରିଙ୍କୁ ସମେତ, ହୁକୁନୁ, ନାଣ୍ଡୁ, ଓମ୍, ବାଉଁ, ଗୁଡ଼ୁ, ସ୍ବରୂପ, ଶିବୁନ, ଅଭିଷେକ ପ୍ରମୁଖ ଖଟି କରୁଥିଲେ। ସେହି ସମୟରେ ନାଣ୍ଡୁ ଏକ ବନ୍ଧୁକ ବାହାର କରି ସମସ୍ତଙ୍କୁ ଦେଖାଇଥିଲା। କିଛି ସମୟ ଭିତରେ ଶିବୁନ, ସ୍ବରୂପ ଓ ଅଭିଷେକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ସମୟରେ ହୁକୁନୁ ନାଣ୍ଡୁ ଠାରୁ ସେହି ବନ୍ଧୁକ ନେଇ ଟିକେ ବାହାରୁ ବୁଲି ଆସିବାକୁ କହିଥିଲା। ହୁକୁନୁ ଓ ବାଉଁ ବାହାରକୁ ଯାଇଥିଲେ। ଆସିଲା ବେଳକୁ ସେମାନେ ଖାଇବା ପାଇଁ ମାଛ ଓ ମଦ ଆଣି ଆସିଥିଲେ। ହୁକୁନୁ ଫେରିବା ପରେ ତା’ ସହିତ ସେଠାରେ କୌଣସି କାରଣରୁ ରିଙ୍କୁ, ଓମ୍ ପ୍ରମୁଖଙ୍କର କଥା କଟାକଟି ହେବାରୁ ହୁକୁନୁ ରାଗିଯାଇ ରିଙ୍କୁକୁ ଗୁଳିମାଡ଼ କରିଥିଲା। କିନ୍ତୁ ସେମାନେ ରିଙ୍କୁଙ୍କୁ ହସ୍ପିଟାଲ ନନେଇ ଘଟଣାକୁ ଭିନ୍ନ ରୂପ ଦେବାକୁ ଯୋଜନା କରିଥିଲେ।ହୁକୁନୁ ସେହି ସମୟରେ ନାଣ୍ଡୁକୁ ଟଙ୍କା ଲୋଭ ଦେଖାଇ ସବୁ ଦୋଷ ତା’ ମୁଣ୍ଡରେ ଲଦି ଦେବାକୁ ଫୁସୁଲାଇଥିଲା। ସେହି ସମୟ ଭିତରେ ଓମ୍ ଓ ନାଣ୍ଡୁ ଗୋଟିଏ ସ୍କୁଟିରେ ଓମ୍ଙ୍କୁ ନିକଟରେ ଥିବା ହସପିଟାଲକୁ ନେଇଯାଇଥିଲେ। ହସପିଟାଲ ଯିବା ପୂର୍ବରୁ ଘଟଣାସ୍ଥଳରୁ ଖୋକା ଗାଏବ କରିଦେଇଥିଲେ। ରାସ୍ତାରେ ଜଣେ ବ୍ୟକ୍ତି ଦେଖା ହେବାରୁ ରିଙ୍କୁଙ୍କ ପେଟରେ ରଡ଼ ପଶି ଯାଇଥିବା କହିଥିଲେ। ହସପିଟାଲ ନେବା ସମୟର ସିସି କ୍ୟାମେରା ଫୁଟେଜ ବି ପୁଲିସ ଜବତ କରିଛି। ହସ୍ପିଟାଲରେ ହୁକୁନୁ ଓ ବାଉଁ ବି ପହଞ୍ଚିଥିଲେ। ସେଠାରୁ ଏକ ଅଟୋରେ ରିଙ୍କୁଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା। ଏସ୍ସିବି ଯିବା ପରେ ନାଣ୍ଡୁ ଓ ପୋଡ଼ା ହତ୍ୟାକାଣ୍ଡ ହୋଇଥିବା କ୍ବାର୍ଟର୍ସକୁ ଫେରିଥିଲେ। ପୋଡ଼ା ବନ୍ଧୁକରେ ଥିବା ଅବଶିଷ୍ଟ ଗୁଳି କାଢ଼ି ଦେଇଥିଲା। ଖାଲି କ୍ୟାଟ୍ରିଜ୍ ନେଇ ସେ ବୟାଳିଶମୌଜାର କଦମପଡ଼ାରେ ଥିବା ନିଜ ଘରକୁ ଚାଲି ଯାଇଥିଲା। ସେଠାରେ ବନ୍ଧୁକ, ଗୁଳି ଓ ଖାଲି କ୍ୟାଟ୍ରିଜ୍କୁ ଲୁଚାଇ ଦେଇଥିଲା। ପୋଡ଼ା ତା’ କାର୍ରେ ନାଣ୍ଡୁକୁ ନେଇ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଛାଡ଼ିଥିଲା। ନାଣ୍ଡୁ ଗୁଳି ମାଡ଼ କରିଛି ବୋଲି ଯୋଜନାବଦ୍ଧ ଭାବେ ବାହାରେ ସେମାନେ ପ୍ରଚାର କରିଥିଲେ। ଅନ୍ୟ ସମସ୍ତ ଅଭିଯୁକ୍ତ କଟକରେ ହିଁ ଥିଲେ। କିନ୍ତୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣା ସାମନାକୁ ଆସିଛି ବୋଲି ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି। swadhikarswadhikar news Share