ଗତକାଲି ଇରାନର ମିସାଇଲ୍ ମାଡରେ ଇସ୍ରାଏଲରେ ୮ଜଣ ଆହତ ହୋଇଛନ୍ତି । ଇସ୍ରାଏଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଇରାନ ମିସାଇଲ୍ ମାଡ଼ରେ ତେଲଆଭିଭ୍ ଅଞ୍ଚଳରେ ଏକ ସଡକ ନଷ୍ଟ ହୋଇଛି । ଇରାନ କ୍ଲଷ୍ଟର ମୁନିସନ ବା ଗୋଛା ବୋମା ବହନ କରୁଥିବା ମିସାଇଲ୍ ବ୍ୟବହାର କରିଛି । ତେଲ୍ ଆଭିଭ୍ ଅଞ୍ଚଳର ଏକ ମୁଖ୍ୟ ରାସ୍ତା ଉପରେ ଏହି ମିସାଇଲ୍ ପଡ଼ିଥିବା ବେଳେ ଅନେକ ସ୍ଥାନରେ ଛୋଟ ବୋମା ଏବଂ ମିସାଇଲ୍ର ଧାତବ ଖଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜରୁରିକାଳୀନ ସେବା ସଂସ୍ଥା ‘ମ୍ୟାଗେନ ଡେଭିଡ୍ ଆଡମ’ କହିଛି ଯେ କାଚ ଖଣ୍ଡ, ବିସ୍ଫୋରଣର ତୀବ୍ର ତରଙ୍ଗ ଏବଂ ଭଗ୍ନାବଶେଷ ବାଜି ଅନେକ ଲୋକ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୬୦ ବର୍ଷରୁ ଅଧିକ ବୟସ୍କ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଉପରେ ଇରାନ ୨୫୦ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଥିରେ ୧୨ଜଣଙ୍କର ମୃତ୍ୟୁ ହେଲାଣି । ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ମଧ୍ୟ ରବିବାର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଦାବି କରିଛି ।
ତେଲଆଭିଭ୍ର ଦକ୍ଷିଣରେ ଥିବା ଏକ ଏୟାରବେସ୍ ଉପରେ ହେଜବୋଲ୍ଲା ଆକ୍ରମଣ କରିଛି । ସେହିପରି କୁଏତ ଉପରେ ମଧ୍ୟ ଇରାନ ଆଜି ଡ୍ରୋନ ଆକ୍ରମଣ କରିଛି । ଶନିବାର ସଂଯୁକ୍ତ ଆରବ ଏମିରେଟ୍ସର ଫୁଜୈରା ତୈଳ ଟର୍ମିନାଲ୍ ଉପରେ ଆକ୍ରମଣ ସମୟରେ ଏକ ଭାରତୀୟ ଜାହାଜ ଅଳ୍ପକେ ରକ୍ଷା ପାଇଯାଇଛି । ଭାରତୀୟ ପତାକାଧାରୀ ଜାହାଜ ‘ଜଗ୍ ଲାଡକି’ ସେଠାରେ ଅଶୋଧିତ ତୈଳ ଭର୍ତ୍ତି କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ମାର୍ଚ୍ଚ ୧୪ ତାରିଖରେ ଭାରତୀୟ ଜାହାଜ ‘ଜଗ୍ ଲାଡକି’ ଫୁଜୈରା ସିଙ୍ଗଲ୍ ପଏଣ୍ଟ ମୁରିଂରେ ଅଶୋଧିତ ତୈଳ ଭର୍ତ୍ତି କରୁଥିଲା, ସେହି ସମୟରେ ଫୁଜୈରା ତୈଳ ଟର୍ମିନାଲ୍ ଉପରେ ଆକ୍ରମଣ ହୋଇଥିଲା ।
