Odia News Portal

ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଭାରତ ଅଭିମୁଖୀ ଏଲପିଜି ଟ୍ୟାଙ୍କର୍

ହର୍ମୁଜ୍ ପ୍ରଣାଳୀ ପାର ହେବ ଆଉ ଦୁଇଟି ଭାରତ ଅଭିମୁଖୀ ଏଲପିଜି ଟ୍ୟାଙ୍କର୍। ‘ପାଇନ୍‌ ଗ୍ୟାସ୍‌’ ଓ ‘ଜଗ ବସନ୍ତ’ ନାମକ ଏହି ଦୁଇଟି ଏଲ୍‌ପିଜି ଟ୍ୟାଙ୍କର ବର୍ତ୍ତମାନ ୟୁଏଇର ସାରଜାହ ନିକଟରେ ରହିଛି। ମାରିନ ଟ୍ରାଫିକର ଜାହାଜ-ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ, ଉଭୟ ଜାହାଜ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତିି। ଏହା ଶନିବାର ଯାତ୍ରା ଆରମ୍ଭ କରିପାରେ ବୋଲି ବାଣିଜ୍ୟ ସୂତ୍ରରୁ ଜଣାପଡ଼ିଛି, କିନ୍ତୁ ସରକାରୀ ସୂଚନା ମିଳିପାରିନାହିଁ।ରଏଟର୍ସ ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳ ପରିବହନ ଜାହାଜ ଏହି ମାର୍ଗ ଦେଇ ଆସିବା ଗତ ୨୪ ଘଣ୍ଟା ହେଲା ବନ୍ଦ ଥିବାବେଳେ ଭାରତ ପତାକା ବହନ କରୁଥିବା ଦୁଇଟି ଏଲପିଜି ଟ୍ୟାଙ୍କର ଆଗାମୀ ସମୟରେ ହର୍ମୁଜ ପ୍ରଣାଳୀ ପାର୍‌ କରିବ। ତେବେ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଜାହାଜ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ବିଶ୍ବ ଶକ୍ତି ପରିବହନ କ୍ଷେତ୍ର‌ରେ ଏକ ପ୍ରମୁଖ ମାର୍ଗ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଇରାନ ଘୋଷଣା କରିଥିଲା। ଏହି ସଙ୍କୀର୍ଣ୍ଣ ଜଳପଥ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ ଓ ଏଲପିଜି ପରିବହନ ହୋଇଥାଏ। ଶୁକ୍ରବାର ବଜାର ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଗତ ୨୪ ଘଣ୍ଟା ହେଲା କୌଣସି ଅଶୋଧିତ ତୈଳ ଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ଦେଇ ଆସିନାହିଁ। ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ଭାରତର ଏଲପିଜି ଟ୍ୟାଙ୍କର ଆସିବା ସମ୍ପର୍କରେ କୌଣସି ସୂଚନା ନଥିବା କହିଛନ୍ତି।‘ଜଗ ବସନ୍ତ’ ବିପିସିଏଲ ଓ ‘ପାଇନ୍ ଗ୍ୟାସ୍’ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଦ୍ୱାରା ପରିଚାଳିତ ହେଉଛି। ଉଭୟ କମ୍ପାନୀ କିନ୍ତୁ ସେମାନଙ୍କ ଜାହାଜ ଚଳାଚଳ ସମ୍ପର୍କରେ କୌଣସି ଉତ୍ତର ରଖିନାହାନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତର ଦୁଇଟି ଏଲ୍‌ପିଜି ଟ୍ୟାଙ୍କର ଭାରତ ଆସିଥିଲା।