Odia News Portal

ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍‌ ବସନ୍ତ’

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଭିତରେ ପ୍ରମୁଖ ତୈଳ ପରିବହନକାରୀ ମାର୍ଗ ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିବାବେଳେ ଭାରତରେ ଏଲପିଜି ନେଇ ପହଞ୍ଚିଛି ଆଉ ଏକ ଜାହାଜ ‘ଜଗ୍‌ ବସନ୍ତ’। ଶୁକ୍ରବାର ‘ଜଗ୍‌ ବସନ୍ତ’ ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଜାହାଜରେ ୪୨,୦୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ରହିଛି। ସୋମବାର ‘ଜଗ୍‌ ବସନ୍ତ’ ଓ ଆଉ ଏକ ଏଲପିଜି ଟ୍ୟାଙ୍କର ‘ପାଇନ୍‌ ଗ୍ୟାସ୍‌’ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ହର୍ମୁଜ ପ୍ରଣାଳୀ ପାର୍‌ ହେବାକୁ ଦୁଇ ଜାହାଜକୁ ଅନ୍ୟ ଏକ ମାର୍ଗ ଦେଇ ଆସିବାକୁ ପଡ଼ିଥିଲା। ଏହି ଜାହାଜଗୁଡ଼ିକ ଆରବ ସାଗରରେ ସ୍ବଳ୍ପ ଏବଂ ସିଧା ପାରମ୍ପାରିକ ପଥ ପରିବର୍ତ୍ତେ କେଶ୍ମ-ଲାରାକ ଚ୍ୟାନେଲ ଦେଇ ହର୍ମୁଜ୍ ପ୍ରଣାଳୀ ପାର କରୁଥିଲେ। ଟ୍ୟାଙ୍କରଗୁଡ଼ିକ ସମ୍ଭବତଃ ଇରାନ କର୍ତ୍ତୃପକ୍ଷଙ୍କଠାରୁ ପାର ହେବା ପାଇଁ ପୂର୍ବ ଅନୁମୋଦନ ପାଇଥିଲେ। ‘ଜଗ୍‌ ବସନ୍ତ’ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର। ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ୍‌ ଗୁଜରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ। ଶିବାଲିକ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ମାର୍ଚ୍ଚ ୧୬ ତାରିଖରେ ପହଞ୍ଚି ଥିବାବେଳେ ନନ୍ଦା ଦେବୀ ଏହାର ଦିନକ ପରେ ଗୁଜରାଟର ଭାଡିନାର୍‌ ବନ୍ଦରରେ ପହଞ୍ଚି ଥିଲା। ଦୁଇଟିଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ଭାରତ ପହଞ୍ଚି ଥିଲା।