Odia News Portal

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଆଜି ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ପ୍ରତ୍ୟେକ ଓଡିଆ ଏହି ଦିନକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ । ଏହା ସହିତ ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା:
ଆଜି ଓଡିଆଙ୍କ ପାଇଁ ଏକ ବଡ଼ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ପୋଷ୍ଟରେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପଣାସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା:
ପଣା ସଂକ୍ରାନ୍ତି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଉଲ୍ଲେଖ କରି କହିଛନ୍ତି, “ଆମ ପରମ୍ପରାର ଗର୍ବ ଓ ଓଡ଼ିଆ ସ୍ୱାଭିମାନର ପର୍ବ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସନ୍ତୁ, ଏହି ଶୁଭ ମୁହୂର୍ତ୍ତରେ ଆମ ଭାଷା, ସଂସ୍କୃତି ଏବଂ ସମୃଦ୍ଧ ଐତିହ୍ୟକୁ ଆଗକୁ ବଢ଼ାଇବା ପାଇଁ ବ୍ରତୀ ହେବା ।”

ଶୁଭେଚ୍ଛା ଜଣାଇଲେ ନବୀନ:
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଣା ସଂକ୍ରାନ୍ତି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଉଲ୍ଲେଖ କରିଛନ୍ତି, “ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ନବବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା ଓ ନୂଆ ସମ୍ଭାବନାର ବର୍ଷ ହେଉ।”