ସହଜ ହେବ ସିଟି ଗ୍ୟାସ୍ ବିତରଣ: ବିତରଣ ନୀତିକୁ କ୍ୟାବିନେଟ୍ ମଞ୍ଜୁରି By Swadhikar News Last updated Apr 23, 2026 ସହରାଞ୍ଚଳରେ ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ସିଟି ଗ୍ୟାସ୍ ବିତରଣ ନୀତିକୁ ଆଜି କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ନୀତି ଦ୍ବାରା ରାଜ୍ୟରେ ପାଇପ୍ଡ୍ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ଓ କମ୍ପ୍ରେସ୍ଡ ନାଚୁରାଲ୍ ଗ୍ୟାସ୍ (ସିଏନ୍ଜି) ଭିତ୍ତିଭୂମିର ସମ୍ପ୍ରସାରଣ ତ୍ବରାନ୍ବିତ ହେବ। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିବ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩୯ତମ କ୍ୟାବିନେଟ୍ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପୂର୍ବରୁ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ଅହେତୁକ ବିଳମ୍ବ ହେଉଥିଲା। ବିଭିନ୍ନ ସଂସ୍ଥାଠାରୁ ଅନୁମତି ପାଇବାରେ ବିଳମ୍ବ ଏବଂ ଏକ ସମନ୍ବିତ ନୀତିର ଅଭାବ ହିଁ ପ୍ରକଳ୍ପ କାର୍ଯ୍ୟକାରିତାରେ ବାଧକ ଥିଲା। ନୂଆ ନୀତି ଏହି ପ୍ରକ୍ରିୟାକୁ ସରଳୀକୃତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂଆ ନୀତି ଦ୍ବାରା ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟା ସହଜ ହେବ ଏବଂ ସ୍ବଚ୍ଛ ଜାଳେଣି ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ପ୍ରକଳ୍ପ ସମ୍ପତ୍ତିର ଠିକ୍ ପରିଚାଳନା ମାଧ୍ୟମରେ ନିରାପଦ ଓ ନିରନ୍ତର ଗ୍ୟାସ୍ ଯୋଗାଣ ନିଶ୍ଚିତ ହୋଇପାରିବ। ସ୍ବଚ୍ଛ ଭାରତ ମିସନ୍ ଅନ୍ତର୍ଗତ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମନ୍ବୟ ରକ୍ଷା କରାଯାଇପାରିବ। ଗୃହ ଓ ନଗର ଉନ୍ନୟନ ବିଭାଗ ଏହାର ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହାର ସଫଳ ରୂପାୟନ ପାଇଁ ଏକ ରାଜ୍ୟସ୍ତରୀୟ ଅଧିକାରୀ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ କରାଯିବ। ଏହା ଘରୋଇ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିସହ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ରିହାତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।କଟକର କାଠଯୋଡ଼ି ନଦୀ ଉପରେ ନୂଆ ସେତୁ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏସ୍ଏପିଏସ୍ କନ୍ଷ୍ଟ୍ରକ୍ସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୧୫୮ କୋଟି ୮୮ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ସେତୁଟି ତ୍ରିଶୁଳିଆ ଛକକୁ ଜୁଡିସିଆଲ୍ ଏକାଡେମୀ ଛକ ସହ ସଂଯୋଗ କରିବ। ବର୍ତ୍ତମାନର ସେତୁ ସହ ସମାନ୍ତରାଳ ଭାବେ ଏହି ନିର୍ମାଣ କରାଯିବ। ଦ୍ବୈତନଗରୀ ଉପରେ ନିର୍ଭର କରୁଥିବା ଲୋକମାନେ ଏହା ଦ୍ବାରା ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବଲାଙ୍ଗୀରରେ ଏକ ଅତ୍ୟାଧୁନିକ ସୂତାକଳ ସ୍ଥାପନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ‘ମେସର୍ସ ଅମ୍ବିକା କଟସ୍ପିନ୍’ ପକ୍ଷରୁ ୧୨୪ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଏହି ପ୍ରକଳ୍ପ ସ୍ଥାପନ କରାଯିବ। ଏଠାରେ ୩୦୦ ଜଣଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରମ୍ପରିକ ଭାବେ ଦୃଢ଼ ଶିଳ୍ପ ଭିତ୍ତିଭୂମିର ଅଭାବ ଥିବା ଅଞ୍ଚଳରେ ସ୍ଥାୟୀ ଜୀବିକା ପ୍ରଦାନ କରିବାରେ ଏହା ସହାୟକ ହେବ। ଓଡ଼ିଶାରେ କପାଚାଷରେ ନିରନ୍ତର ବୃଦ୍ଧି ଘଟିଛି। କିନ୍ତୁ ଡାଉନ୍ଷ୍ଟ୍ରିମ୍ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଭିତ୍ତିଭୂମି ଅଭାବ ରହିଛି। ଏହି ପ୍ରସ୍ତାବିତ ସୂତାକଳ କେବିକେ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି ସରକାର ଆଶା ରଖିଛନ୍ତି।କ୍ୟାବିନେଟ୍ରେ ଓଡ଼ିଶା ରାଜ୍ୟ ଆଲାଏଡ୍ ଏବଂ ସ୍ବାସ୍ଥ୍ୟସେବା ପରିଷଦ ନିୟମାବଳୀ, ୨୦୨୬ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଆଲାଏଡ୍ ଏବଂ ସ୍ବାସ୍ଥ୍ୟସେବା ବୃତ୍ତି ଜାତୀୟ କମିସନ (ଏନ୍ସିଏଏଚ୍ପି) ଅଧିନିୟମ, ୨୦୨୧ର ଧାରା ୬୮(୧) ଅନୁଯାୟୀ ପ୍ରଣୟନ କରାଯାଇଛି। ଆଲାଏଡ୍ ଏଣ୍ଡ ହେଲ୍ଥକେୟାର ପ୍ରଫେସନ୍ସଙ୍କ ଜାତୀୟ କମିସନ ୨୦୨୪ ମସିହା ଜାନୁଆରି ୮ରେ ପ୍ରତିଷ୍ଠା କରାଯାଇଛି। ଏହା ଏକ ଜାତୀୟ ନିୟାମକ ସଂସ୍ଥା। ୫୬ଟି ସ୍ବୀକୃତିପ୍ରାପ୍ତ ଆଲାଏଡ୍ ଏବଂ ସ୍ବାସ୍ଥ୍ୟସେବା ବୃତ୍ତିକୁ ନିୟନ୍ତ୍ରଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ୨୦୨୧ ମସିହା ପୂର୍ବରୁ ଏହି ବୃତ୍ତିଗୁଡ଼ିକ ଜାତୀୟ ମେଡିକାଲ କମିସନ (ଏନ୍ଏମ୍ସି), ଭାରତୀୟ ଦନ୍ତ ପରିଷଦ (ଡିସିଆଇ), ଭାରତୀୟ ନର୍ସିଂ ପରିଷଦ (ଆଇଏନ୍ସି) କିମ୍ବା ଭାରତୀୟ ଫାର୍ମାସି ପରିଷଦ (ପିସିଆଇ) ଆଦି ପରି କୌଣସି ସଂସ୍ଥା ଅଧୀନରେ ନ ଥିଲେ। ମଞ୍ଜୁରିପ୍ରାପ୍ତ ରାଜ୍ୟ ଆଲାଏଡ୍ ଏବଂ ସ୍ବାସ୍ଥ୍ୟସେବା ପରିଷଦ ନିୟମାବଳୀ-୨୦୨୬ ମୁତାବକ ସମସ୍ତ ପଞ୍ଜୀକୃତ ବୃତ୍ତିଧାରୀଙ୍କ ପାଇଁ ଏକ ଅନ୍ଲାଇନ୍ କେନ୍ଦ୍ରୀୟ ରେଜିଷ୍ଟର ପ୍ରସ୍ତୁତ ସାଙ୍ଗକୁ ସେମାନଙ୍କ ବୃତ୍ତିଗତ ଆଚରଣ, ନୈତିକ ନିୟମାବଳୀ ତଥା ଶୃଙ୍ଖଳା ରକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସେହିପରି ଏହି ନିୟମାବଳୀ ଆଲାଏଡ୍ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକ ସମାନ ପ୍ରବେଶିକା ପରୀକ୍ଷା ଓ ସାଧାରଣ କାଉନ୍ସେଲିଂ ବ୍ୟବସ୍ଥା କରିବ। ଏହା ସହ ବୃତ୍ତିଗତ ଲାଇସେନ୍ସ ପ୍ରଦାନ ପାଇଁ ଏକ ସମାନ ନିର୍ଗମନ (ଏକ୍ଜିଟ୍) ପରୀକ୍ଷା ପ୍ରଚଳନ କରିବାରେ ସହାୟକ ହେବ। swadhikarswadhikar news Share