କଳାହାଣ୍ଡି ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ମେ ମାସ ୨୦ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ମାସ ୨୦ ତାରିଖରୁ ମଣ୍ଡି ଖୋଲିବାକୁ ଥିବା ବେଳେ ୫୬ ହଜାର ଚାଷୀଙ୍କ ଠାରୁ ୯୩ ଟି ମଣ୍ଡି ମାଧ୍ୟମରେ ୪୦ ଲକ୍ଷ୍ୟ କ୍ଵିଣ୍ଟାଲ ଧାନ କିଣା ଯିବ।ସେପଟେ ଖରିପ ଋତୁ ଧାନ ବର୍ତ୍ତମାନ ସୁଦ୍ଧା ମିଲ୍ ମାନଙ୍କରେ ମହଜୁଦ୍ ରହିଥିବା ଯୋଗୁଁ ରବି ଋତୁ ଧାନ ପାଇଁ ମିଲ୍ ମାନଙ୍କରେ ଆବଶ୍ୟକୀୟ ଜାଗା ନାହିଁ । ଏଣୁ ଧାନ କ୍ରୟରେ ସମସ୍ୟା ଉପୁଜି ପାରେ ବୋଲି ମିଲ ମାଲିକ ସଙ୍ଘ ପ୍ରକାଶ କରିଥିବା ବେଳେ ଅତିରିକ୍ତ ଗୋଦାମ ପାଇଁ ନିଷ୍ପତ୍ତି ନିଆଯିବା ନେଇ ଜିଲ୍ଲପାଳ ପ୍ରକାଶ କରିଛନ୍ତି।ଏନେଇ କଳାହାଣ୍ଡି ଜିଲ୍ଲା ରାଇସ ମିଲ ମାଲିକ ସଂଘ ସଭାପତି ନଳିନୀ କୁମାର୍ ପାଟ୍ଟଯୋଶୀ କହିଛନ୍ତି ଯେ, “ବର୍ତ୍ତମାନ୍ ସୁଦ୍ଧା ଡେଲିଭରୀ ଶେଷ ହୋଇନାହିଁ। ଗତ ଖରିଫର ମଧ୍ୟ ବର୍ତ୍ତମାନ୍ ଡେଲିଭରୀ ବାକି ଅଛି ତେଣୁ ଆମ ମିଲ ମାନଙ୍କରେ ଖାଲି ଜାଗା ନାହିଁ। ଯେହେତୁ ଯାଗା ନାହିଁ ଆମେ ରବି ଧାନ କେମିତି ରଖିବୁ। ମଣ୍ଡି ସମୟରେ ଯଦି ଠିକ ଭାବରେ ଧାନ ଉଠାଣ ନ ହେବ ତେବେ ସମସ୍ତେ ମିଲ ମାଲିକଙ୍କୁ ଦୋଷ ଦେବେ। ତେଣୁକରି ଆମେ ସରକାରଙ୍କୁ ଦାବି କରିଛୁ ଯେ ଆମର ଚାଉଳ ଉଠାଣ କରାଯାଉ। ଚାଉଳ ଡେଲିଭରୀ ହେଲେ ଯେଉଁ ଜାଗା ବାହାରିବ ସେଥିରେ ଆମେ ରବି ଧାନ ରଖିବୁ’’ ।
