ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପରେ ତାରକା ହୋଟେଲ୍: ଶାଗମାଛ ଦରରେ ଟେକିଦେଲେ ମୂଲ୍ୟବାନ ଜମି By Swadhikar News Last updated Apr 28, 2026 ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ବଳି ପଡ଼ିବ ତାଲବ ଡୁଙ୍ଗୁରି। ଯେଉଁଠି ୨୦ରୁ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ୨୫ରୁ ୩୦ ହଜାର ଗଛ ସହିତ ପାହାଡ଼ ନଷ୍ଟ ହେବ। ଏହି ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ୫ ଗାଁ ବଲବସପୁର, ତାଲବ, କିଲାସମା, ଲରଭଙ୍ଗା, ସୋଲବନ୍ତର ୧୨୭.୦୮ ଏକର ଜମି ଇଡ୍କୋକୁ ଟେକି ଦିଆଯିବାକୁ ବିରୋଧ କରାଯିବ ବୋଲି କହିଛନ୍ତି ତାଲବ ସରପଞ୍ଚ ବିଷ୍ଣୁ ପ୍ରଧାନ। ଖୋଲା ବଜାରରେ ଯେଉଁ ଜମିର ଦର ଡେସିମିଲ୍ ପିଛା ୧ ଲକ୍ଷ ଟଙ୍କାରୁ ଅଧିକ ଏବଂ ଏକର ପିଛା ୧ କୋଟି ହେବ, ତାକୁ କେମିତି ଇଡ୍କୋକୁ ଏକର ପିଛା ୩୩ ଲକ୍ଷ ୫୨ ହଜାର ଏବଂ ତାରକା ହୋଟେଲ୍ମାନଙ୍କୁ ୩୬ ଲକ୍ଷ ଟଙ୍କାରେ ଦିଆଯାଉଛି, ତାକୁ ନେଇ ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଧିବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ତାଲବର ଏହି ଗ୍ରାମ୍ୟ ଜଙ୍ଗଲ ଉପରେ କିଲାସମା ସମେତ ୫ ଗାଁର ଅଧିବାସୀ ନିର୍ଭରଶୀଳ। ଏଠାରେ ଶିଶୁ, ଶାଗୁଆନ, ସାହାଡ଼ା, ନିମ୍ବ ଭଳି ମୂଲ୍ୟବାନ ଗଛ ସହ ବାଉଁଶବଣ ରହିଛି। ଗୋରୁଙ୍କ ଚରିବା ପାଇଁ ଏହା ପ୍ରମୁଖ ସ୍ଥାନ। ତାରକା ହୋଟେଲ୍ଗୁଡ଼ିକ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳବାସୀ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ କହିଛନ୍ତି। କିଲାସମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଇଡ୍କୋକୁ ଜମି ପ୍ରଦାନକୁ ବିରୋଧ କରାଯାଇଛି। ଇଡ୍କୋ ବଦଳରେ ହୀରାକୁଦ ବିସ୍ଥାପିତଙ୍କୁ ଜମିଦେଇ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟ ସଚିବଙ୍କୁ ଦାବି କରାଯାଇଛି। ରେ ରହୁଥିବା ୭୦ ପ୍ରତିଶତ ଅଧିବାସୀ ହୀରାକୁଦ ବିସ୍ଥାପିତ। ସେମାନେ ଆଜି ପର୍ଯ୍ୟନ୍ତ ସରକାରୀ ପଟ୍ଟା ପାଇନାହାନ୍ତି, ଦୟନୀୟ ସ୍ଥିତିରେ ରହୁଛନ୍ତି। ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ବିକାଶ ପାଇଁ କିଲାସମା ସରକାରୀ ହାଇସ୍କୁଲକୁ ଯୁକ୍ତ୨ କନିଷ୍ଠ କଲେଜ ଭାବରେ ଅପଗ୍ରେଡ୍ କରିବା, କିଲାସମାରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସ୍ଥାପନ ପାଇଁ ମତ ଦେଇଛନ୍ତି। ଆହୁରି ମଧ୍ୟ ଏହି ପଞ୍ଚାୟତର ନିଆଯାଇଥିବା ଅଧିକାଂଶ ଜମି ଚାଷଜମି। ଯାହାକୁ କି ବିନା ପଟ୍ଟାରେ ବର୍ଷାଧିକ ସମୟ ଧରି ବିସ୍ଥାପିତମାନେ ଚାଷ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ କିଲାସମା ସରପଞ୍ଚ ଗୌରୀ ବାରିକ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ତାରକା ହୋଟେଲ୍ ପାଇଁ ସରକାରଙ୍କ ତରଫରୁ ଇଡ୍କୋକୁ ୧୨୭.୦୮ ଏକର ଜମି ହସ୍ତାନ୍ତର କରାଯାଇଛି। ଜମି ବାବଦକୁ ଇଡ୍କୋ ୪୨ କୋଟି ୬୦ ଲକ୍ଷ ୪୦ ହଜାର ୮୩୦ ଟଙ୍କା ଦାଖଲ କରିଛି, ଯାହାକୁ କି ସାମାନ୍ୟ ଅଧିକ ଦରରେ ହୋଟେଲ୍ କରୁଥିବା ସଂସ୍ଥାକୁ ପ୍ରଦାନ କରାଯିବ। ସମ୍ବଲପୁର ସଦର ତହସିଲଦାର ଅଭିଜିତ ମହନ୍ତ କହିଛନ୍ତି, ପର୍ଯ୍ୟଟନ ପ୍ରକଳ୍ପରେ ଇଡ୍କୋକୁ ଲିଜ୍ ଦିଆଯାଇଥିବା ୧୨୭ ଏକରରେ ଜଙ୍ଗଲ ନାହିଁ। ଯେଉଁ ପାହାଡ଼ ନଷ୍ଟ ହେବ ବୋଲି ସ୍ଥାନୀୟ ଅଧିବାସୀ ଆଶଙ୍କା କରୁଛନ୍ତି, ତାକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁରକ୍ଷିତ ରଖାଯିବ ବୋଲି ସେ କହିଛନ୍ତି। swadhikarswadhikar news Share