ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏହି ନୂଆ ଜୋନ୍ ର ମୁଖ୍ୟାଳୟ ହେବ ।
ଆସନ୍ତା ଜୁନ୍ ୧ରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ରେଳବାଇର ଏହି ପୁନର୍ଗଠନ ପ୍ରକ୍ରିୟାରେ ଓଡ଼ିଶାକୁ ଏକ ନୂଆ ରେଳ ଡିଭିଜନ ମିଳିଛି । ପୂର୍ବତଟ ରେଳପଥ ଅଧୀନରେ ରାୟଗଡ଼ା ଠାରେ ନୂଆ ଡିଭିଜନାଲ୍ ମୁଖ୍ୟାଳୟ ପ୍ରତିଷ୍ଠା କରାଯାଇଛି । ୱାଲଟିୟର ଡିଭିଜନର କିଛି ଗୁରୁତ୍ୱପୂର୍ଣ୍ଣ ସେକ୍ସନକୁ ନେଇ ଏହି ଡିଭିଜନ ଗଠିତ । ପ୍ରାୟ ୬୯୬ ରୁଟ୍ କିଲୋମିଟର ପରିବ୍ୟାପ୍ତ ଏହି ଡିଭିଜନରେ କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭାଲାସା-କିରନ୍ଦୁଲ ଏବଂ ଗୁଣପୁର-ପାରଳାଖେମୁଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ରୁଟ୍ ସାମିଲ ରହିଛି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ହେବା ସହ ଖଣିଜ ଓ ଶିଳ୍ପାଞ୍ଚଳକୁ ମାଲ୍ ପରିବହନ ଅଧିକ ସହଜ ହେବ । ପୂର୍ବତଟ ରେଳପଥ ଏବଂ ଦକ୍ଷିଣ-ମଧ୍ୟ ରେଳପଥର କିଛି ଅଂଶକୁ ପୃଥକ କରି ଏହି ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ କରାଯାଇଛି ।
ଗୁଣ୍ଟକାଲ୍, ଗୁଣ୍ଟୁର, ବିଜୟୱାଡା ଏବଂ ନବଗଠିତ ବିଶାଖାପାଟଣା ଡିଭିଜନ ରହିବ । ପରିଚାଳନାଗତ ସୁବିଧା ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ଏବଂ ଅନ୍ୟାନ୍ୟ ଅଞ୍ଚଳର ସୀମାରେ ମଧ୍ୟ କିଛି ସଂଶୋଧନ କରାଯାଇଛି। ରେଳବାଇର କାର୍ଯ୍ୟଦକ୍ଷତା ବଢ଼ାଇବା ଏବଂ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଛି। ବିଶେଷ କରି ଉପକୂଳବର୍ତ୍ତୀ ଏବଂ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ବାଣିଜ୍ୟିକ କାରବାର ବୃଦ୍ଧି ପାଇଁ ଏହା ସହାୟକ ହେବ। ମେ ୪ରେ ଭାରତ ସରକାରଙ୍କ ଗେଜେଟ୍ ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
