Odia News Portal

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

କର୍ଣ୍ଣାଟକ ରାଜନୀତିରେ ଆଜି ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଡି.କେ. ଶିବକୁମାର କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ୧୨ ଜଣ ମନ୍ତ୍ରୀ ଏବଂ ଜଣେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଜି. ପରମେଶ୍ୱର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେହିପରି କେରଳ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶର କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ତିନି ବର୍ଷ ଧରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିବା ସିଦ୍ଧରମୈୟାଙ୍କ ପରେ ବର୍ତ୍ତମାନ ରାଜ୍ୟର ନେତୃତ୍ୱ ଡି.କେ. ଶିବକୁମାରଙ୍କ ହାତକୁ ଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ନୂଆ ମନ୍ତ୍ରିମଣ୍ଡଳରେ ପୂର୍ବ ସରକାରର ଅନେକ ଅଭିଜ୍ଞ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ଦଳୀୟ ଓ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବାକୁ କଂଗ୍ରେସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି।