Odia News Portal

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ : ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମୁକାବିଲାର ଦ୍ବିତୀୟ ଦିନରେ ରବିବାର ଖେଳ ଶେଷ ହୋଇଛି। ଦ୍ବିତୀୟ ଦିନର ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଆଫଗାନିସ୍ତାନର ସ୍କୋର ପ୍ରଥମ ପାଳିରେ ୫ଟି ୱିକେଟ୍‌ ହରାଇ ୧୧୩ ରନ୍‌ ହୋଇଛି। ରହମତ ଶାହ ଅପରାଜିତ ୪୩ ରନ୍‌ ସଂଗ୍ରହ କରିଛନ୍ତି। ପ୍ରଥମ ପାଳର ଆଧାରରେ ଆଫଗାନିସ୍ତାନ ଏବେ ୪୫୧ ରନ୍‌ ପଛରେ ଅଛି। ଆଫଗାନିସ୍ତାନ ୩୯.୫ ଓଭରରେ ୫ଟି ୱିକେଟ୍‌ ହରାଇ ୧୧୩ ରନ୍‌ ସଂଗ୍ରହ କରିଛି।  ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ଭାରତୀୟ ବୋଲର ମାନବ ସୁଥାର ୩ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ମୁକାବିଲାରେ ଭାରତୀୟ ଟିମ୍‌ ନିଜର ପ୍ରଥମ ପାଳି ୮ଟି ୱିକେଟ ହରାଇ ୫୬୪ ରନ୍‌ରେ ଘୋଷଣା କରିଥିଲା। ଭାରତ ପାଇଁ ଅଧିନାୟକ ଶୁଭମନ ଗିଲ (୧୨୬ ରନ୍‌) ଏବଂ କେଏଲ୍‌ ରାହୁଲ (୧୦୦ ରନ୍‌) କରିଥିଲେ। ଭାରତୀୟ ଅଧିନାୟକ ଗିଲ୍‌ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନର ପ୍ରଥମ ପାଳିରେ ଆରମ୍ଭ ଉତ୍ସାହଜନକ ନଥିଲା। ଅବ୍ଦୁଲ ମଲିକ କେବଳ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କୁ ମାନବ ସୁଥାର ଆଉଟ୍‌ କରିଥିଲେ। ଏହା ପରେ ପ୍ରସିଦ୍ଧ କୃଷ୍ଣ ଚମତ୍କାର ବୋଲିଂ କରି ଦେଦିକୁଲ୍ଲାହ ଅଟଲ (୧୭ ରନ୍‌)ଙ୍କୁ ଆଉଟ୍‌ କରିଥିଲେ। ରହମାନୁଲ୍ଲାହ ଗୁରବାଜ (୧୨ ରନ୍‌)ଙ୍କୁ ମାନବ ସୁଥାର ଆଉଟ୍‌ କରିବା ପରେ ଆଫଗାନିସ୍ତାନ ନିମ୍ନକୁ ଖସି ଯାଇଥିଲା। ଆଫଗାନିସ୍ତାନ ୨୮ ରନ୍‌ରେ ପ୍ରଥମ, ୪୦ ରନ୍‌ରେ ଦ୍ବିତୀୟ, ୬୨ ରନ୍‌ରେ ତୃତୀୟ, ୯୮ ରନ୍‌ରେ ଚତୁର୍ଥ ଏବଂ ୧୧୩ ରନ୍‌ରେ ପଞ୍ଚମ ୱିକେଟ୍‌ ହରାଇଥିଲା।

ଭାରତ ପାଇଁ ମାନବ ସୁଥାର ଚମକପ୍ରଦ ବୋଲିଂ କରିଥିଲେ। ସେ ୧୫.୫ ଓଭର ବୋଲିଂ କରିଥିଲେ। ଏଥିରୁ ୭ ଓଭର ମେଡେନ୍‌ ଥିବା ବେଳେ ୨୧ ରନ୍‌ ଖର୍ଚ୍ଚ କରିଥିଲେ, ଯେଉଁଥିରେ ସେ ୩ଟି ୱାଇଡ୍‌ ଫିଙ୍ଗିଥିଲେ।