ଶୃଙ୍ଖଳିତ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦିନ ରାତିକୁ ଏକ କରିଦେଉଛି । ରଥ ଉପରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏବଂ ନୀତି ରେ ଯେମିତି କୌଣସି ବାଧା ନୁପୁଜିବ ସେଥିପାଇଁ ବିଭିନ୍ନ ନିୟମ ମଧ୍ୟ ଲାଗୁ କରୁଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରଥ ଉପରକୁ ମୋବାଇଲ ବ୍ୟାନ କରିଥିଲା ପ୍ରଶାସନ । ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ଯଦି କେହି ନମାନନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ଅରବିନ୍ଦ ପାଢ଼ୀ । କିନ୍ତୁ ରଥକୁ ମୋବାଇଲ ମନା ନିର୍ଦ୍ଦେଶକୁ ଦଳିଦେଲେ ସେବାୟତ । ଗତକାଲି ଅଧରପଣା ନୀତି ବେଳେ ମୋବାଇଲ ମନା ନିର୍ଦ୍ଦେଶକୁ ଖୋଲା ଉଲଂଘନ କରିଛନ୍ତି କିଛି ନିୟମ ଭଙ୍ଗା ସେବାୟତ ।
ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗୁହେଉଥିଲା ଅଧରପଣା । ଆଉ ଏତିକି ବେଳେ ଜଗନ୍ନାଥ ଡାହାଣ ପାଖରେ ରହି ଜଣେ ସେବାୟତ ପୁରା ନୀତିକୁ ମୋବଇଲରେ ସୁଟ କରୁଥିଲେ । ତେବେ ଯେଉଁ ସ୍ଥାନରେ ରହି ଏହି ସେବାୟତ ଜଣକ ଭିଡିଓ କରୁଛନ୍ତି ତାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ବ୍ରାହ୍ମଣ ଠାକୁରଙ୍କ ଆଗରେ ଜଣେ ସେବକର ସ୍ଥାନ ସବୁବେଳେ ପାଦତଳେ ଏଠି କିନ୍ତୁ ମହାପ୍ରଭୁଙ୍କ ପାଖରେ ଉପରକୁ ଚଢ଼ି ଭିଡ଼ିଓ କରାଯାଉଛି । ଏଭଳି ଉଶୃଙ୍ଖଳିତ ଆଚାରଣ କେତେ ଗ୍ରହଣୀୟ ଆଲୋଚନାର ବିଷୟ ।
ସେହିପରି ଅଧରପଣା ବେଳେ ହାତରେ ମୋବାଇଲ ଧରି ଜଗନ୍ନାଥଙ୍କ ଆଗରେ ଛିଡ଼ା ହୋଇଥିଲେ ଆଉ ଜଣେ ସେବାୟତ । ଅତି ଚତୁରତାର ସହ ଅଧରପଣା ନୀତିର ଭିଡ଼ିଓ ଉତ୍ତୋଳନ କରୁଥିଲେ । ରଥ ଉପରେ କରାଯାଇଥିବା ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନର ପରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗେଇଛି । କିଛି ସେବାୟତ ମନ୍ଦିର ପ୍ରଶାସନର ନିୟମକୁ ଉଲଙ୍ଘନ କରୁଛନ୍ତି । ଏଭଳି ନିୟମଭଙ୍ଗା ସେବାୟତଙ୍କ ଉପରେ କାହିଁକି କିଛି ଆକ୍ସନ ନିଆଯାଉନାହିଁ ତାକୁ ନେଇ ଜନଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଦେଖିବାର ଅଛି ନିୟମ ଭାଙ୍ଗିଥିବା ସେବାୟତ ଉପରେ ଆକ୍ସନ ହେଉଛି ନା ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ…? ନ୍ୟାୟରେ ଖସାଇଦିଆଯାଉଛି
।
