“ଓଡ଼ିଶା ରାଜନୀତିରେ ଯନ୍ତର ମନ୍ତର ତାତି । ପ୍ରଶ୍ନପତ୍ର ଲିକ ରେ ଘାଣ୍ଟି ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଇସ୍ତଫା ପରେ ଏବେ ସ୍କୁଲ୍ ପାଠ୍ୟ ପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ନବୀନ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ବି ମନ୍ତ୍ରୀଙ୍କୁ ଘେରିଛନ୍ତି। ଗୋଟିଏ ପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିରୋଧୀଙ୍କ ଆକ୍ରମଣ ଜାରି ରହିଥିବାବେଳେ, ଅନ୍ୟପଟେ ପାଠ୍ୟ ପୁସ୍ତକରେ ରହିଥିବା ତ୍ରୁଟି ପାଇଁ ଏବେ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନୈତିକ ଦାୟିତ୍ୱ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି। ସେ ମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଉଦାହରଣ ସୃଷ୍ଟି କରନ୍ତୁ ଏବଂ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ।
ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ପକ୍ଷରୁ ସିଧାସଳଖ ୧୦ ଦିନର ଅଲ୍ଟିମେଟମ ଦିଆଯାଇଛି। ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ଯେ, ଯଦି ୧୦ ଦିନ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନ ଦିଅନ୍ତି, ତେବେ ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯିବ। ଅପରପକ୍ଷରେ, ବିରୋଧୀଙ୍କ ଏହି ତୀବ୍ର ଆକ୍ରମଣ ଓ ଇସ୍ତଫା ଦାବି ସତ୍ତ୍ୱେ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିବା ସହ, ମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବିରୋଧୀଙ୍କ ଏହି ଚାପ କଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବ? ନା ସରକାର ଏହି ବିବାଦକୁ କିଭଳି ସମ୍ଭାଳିବେ, ତାହା ଦେଖିବାକୁ ବାକି ରହିଲା।
