Odia News Portal

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ସ୍ପେଶାଲ ଟ୍ରେନରେ କରିବେ ଯାତ୍ରା

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରୁ କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ । ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯାତ୍ରା କରିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ଗୋଳବନ୍ଧ ଠାରେ ଆର୍ମି ଏୟାର ଡିଫେନସ କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ଗଞ୍ଜାମ ଗସ୍ତ ବେଳେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିବେ । ତିନିଦିନିଆ ଗସ୍ତ ବେଳେ ଏହା ସବୁଠାରୁ ବିଶେଷ ଆକର୍ଷଣ । ବର୍ଷା ଋତୁର ଅନିଶ୍ଚିତ ପାଣିପାଗ ଓ ସଡ଼କ ଯାତାୟାତର ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଏଥର ରେଳଯାତ୍ରାକୁ ପ୍ରାଥମିକତା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା ଏକ ସାଧାରଣ ଯାତ୍ରା ନୁହେଁ । ଏହା ସହ ଜଡ଼ିତ ରହିଥାଏ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ରାଷ୍ଟ୍ରପତି ସଚିବାଳୟ, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ, ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ, ଜିଆରପି ଏବଂ ପୂର୍ବତଟ ରେଳବାଇ ମିଳିତ ଭାବେ ପ୍ରତ୍ୟେକ ପଦକ୍ଷେପର ଯୋଜନା ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମଗ୍ର ରେଳପଥରେ ସୁରକ୍ଷା କଡ଼ାକଡ଼ି କରାଯିବ । ରେଲୱେ ଟ୍ରାକରେ ନିରନ୍ତର ପାଟ୍ରୋଲିଂ, ଆଣ୍ଟି-ସାବୋଟାଜ୍ ଯାଞ୍ଚ, ପ୍ରତ୍ୟେକ ଲେବଲ୍ କ୍ରସିଂରେ କର୍ମଚାରୀ ମୁତୟନ, ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ନିୟନ୍ତ୍ରଣ, ପ୍ଲାଟଫର୍ମରେ କେବଳ ଅନୁମୋଦିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପାସ ସହ ପ୍ରବେଶ ଭଳି ବ୍ୟବସ୍ଥା ରହିବ । ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଛି । ଷ୍ଟେସନ ପରିସରର ସ୍ୱଚ୍ଛତା, ସୁରକ୍ଷା, ଟ୍ରେନ୍ ର ଯାନ୍ତ୍ରିକ ଯାଞ୍ଚ, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ ପାଣିପାଗ ଜନିତ ପରିସ୍ଥିତି ମୁକାବିଲା ପାଇଁ ବିକଳ୍ପ ପ୍ରସ୍ତୁତି ମଧ୍ୟ ସରିଛି । ଆବଶ୍ୟକ ସ୍ଥାନରେ ଡ୍ରୋନ୍ ନଜରଦାରି ଏବଂ ବହୁସ୍ତରୀୟ ସୁରକ୍ଷା ବଳୟ ମଧ୍ୟ ରହିବ । ରେଳ ଯାତ୍ରା ବେଳେ ବ୍ଲୁ ବୁକ୍ ଭିଭିଆଇପି ସୁରକ୍ଷା ପ୍ରୋଟୋକଲର କଡ଼ା ପାଳନ କରାଯିବ ।