Odia News Portal

ଭାରତରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି

ଭାରତର ଅଧ୍ୟକ୍ଷତାରେ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରାୟ ସାତ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକ ଉପରେ ଏବେ ସାରା ବିଶ୍ୱର ନଜର। ଭାରତ ଓ ଚୀନ୍ ମଧ୍ୟରେ ରହିଥିବା ବିଭିନ୍ନ ମତଭେଦ ଏବଂ ଦୀର୍ଘଦିନର ତଣାପୋଡ଼ ମଧ୍ୟରେ ଦୁଇ ନେତାଙ୍କ ଏହି ସାକ୍ଷାତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏହି ବୈଠକ ପୂର୍ବରୁ ଭାରତ-ଚୀନ୍ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ। ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଉପଯୁକ୍ତ ଭାବରେ ସମାଧାନ କରିବା ଦିଗରେ ବେଜିଂ ନୂଆଦିଲ୍ଲୀ ସହ ମିଶି କାମ କରିବ ବୋଲି ସେ ସଙ୍କେତ ଦେଇଛନ୍ତି।

ଜିନପିଙ୍ଗଙ୍କ ଭାରତ ଆଗମନର କିଛି ଘଣ୍ଟା ପୂର୍ବରୁ ଚୀନ୍ ରାଷ୍ଟ୍ରଦୂତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭାରତ-ଚୀନ୍ ସମ୍ପର୍କରେ ନୂଆ ଆରମ୍ଭର ସଙ୍କେତ ଦେଇଥିଲେ। ରାଷ୍ଟ୍ରଦୂତ କହିଛନ୍ତି, କାଜାନ ଏବଂ ତିଆନଜିନରେ ହୋଇଥିବା ବୈଠକ ପରେ ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଏହା ଲଗାତାର ତୃତୀୟ ବର୍ଷର ସାକ୍ଷାତ। ଦୁଇ ନେତାଙ୍କ ରଣନୈତିକ ମାର୍ଗଦର୍ଶନକୁ ଆଧାର କରି ଚୀନ୍ ଭାରତ ସହିତ ଘନିଷ୍ଠ ଭାବରେ କାମ କରିବ ବୋଲି ସେ କହିଛନ୍ତି।ଦ୍ୱିପାକ୍ଷିକ ସମ୍ପର୍କକୁ ଦୀର୍ଘକାଳୀନ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଆଗକୁ ବଢ଼ାଇବା, ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା, ପାରସ୍ପରିକ ସହଯୋଗକୁ ମଜବୁତ କରିବା ଏବଂ ଥିବା ମତଭେଦକୁ ସଠିକ୍ ଭାବରେ ପରିଚାଳନା କରିବା ଉପରେ ଚୀନ୍ ଗୁରୁତ୍ୱ ଦେବ ବୋଲି ଜୁ ଫେଇହୋଙ୍ଗ କହିଛନ୍ତି।ସେ ଆହୁରି କହିଛନ୍ତି ଯେ, ଭାରତ ଓ ଚୀନ୍ ଭଲ ପଡ଼ୋଶୀ ଭାବେ ପରସ୍ପରକୁ ସମ୍ମାନ ଦେବା ସହ ଦୁଇ ଦେଶର ବିକାଶ ଏବଂ ସଫଳତାରେ ପରସ୍ପରର ସହଯୋଗୀ ହେବା ଉଚିତ। ତେବେ ବ୍ରିକ୍ସ ମଞ୍ଚରେ ମୋଦୀ-ଜିନପିଙ୍ଗ ସାକ୍ଷାତ ଏବଂ ଭାରତ-ଚୀନ୍ ସମ୍ପର୍କକୁ ନେଇ ଚୀନ୍‌ର ଏହି ନୂଆ ଆଭିମୁଖ୍ୟ ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କକୁ କେତେଦୂର ନୂଆ ଦିଗ ଦେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।