Odia News Portal

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ

୭୫ ବର୍ଷ ପୂରଣ କରି ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦୃଢ଼ ସଂକଳ୍ପ, ନିରନ୍ତର ପରିଶ୍ରମ ଓ ଦୀର୍ଘ ରାଜନୈତିକ ଯାତ୍ରା ପାଇଁ ନରେନ୍ଦ୍ର ମୋଦି ଦେଶର ରାଜନୀତିରେ ଏକ ପରିଚିତ ନାମ। ଗୁଜରାଟର ବଡ଼ନଗରରୁ ଆରମ୍ଭ ହୋଇଥିବା ତାଙ୍କ ରାଜନୈତିକ ଯାତ୍ରା ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ଦେଇ ଦେଶର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୦୧ରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଶାସନ ଯାତ୍ରା ଆରମ୍ଭ ହୋଇଥିବାବେଳେ, ୨୦୧୪ରେ ସେ ପ୍ରଥମଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମନ୍ତ୍ର ସହ ତାଙ୍କ ସରକାର ବିଭିନ୍ନ ଯୋଜନା ଓ ଅଭିଯାନ ଉପରେ ଗୁରୁତ୍ୱ ଦେଇଆସୁଛି। ତାଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ମଧ୍ୟ ଦେଶବ୍ୟାପୀ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘X’ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ସେପଟେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ବାରଣାସୀରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏନଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନେତାମାନେ ବାରଣାସୀରେ ଏକାଠି ହେବେ। ବାରଣାସୀ ଲୋକସଭା ଆସନରୁ ନରେନ୍ଦ୍ର ମୋଦି ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ଜନ୍ମଦିନ ପାଇଁ ଏଠାରେ ବିଶେଷ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ଏନଡିଏ ନେତାଙ୍କ ଯୋଗଦାନ ରହିବ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ଜଣାଇଛନ୍ତି।

ଅନ୍ୟପଟେ, ଆଜିଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହେବ। ଏହି ଅଭିଯାନରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ସିଧାସଳଖ ଯୋଡ଼ିହେବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥାନ ବଡ଼ନଗରରୁ ବାରଣାସୀ ପର୍ଯ୍ୟନ୍ତ ଦୁଇଟି ବାଇକ୍ ରାଲି ମଧ୍ୟ ଆୟୋଜନ କରାଯିବ। ବଡ଼ନଗରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବାଇକ୍ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମାଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହିବେ। ବାଇକ୍ ରାଲି ୧୦ଟି ରାଜ୍ୟର ୧୯୩ଟି ଜିଲ୍ଲା ଅତିକ୍ରମ କରି ବାରଣାସୀରେ ପହଞ୍ଚିବ। ବାରଣାସୀରେ ‘ସେବା ସଂକଳ୍ପ ଅଭିଯାନ’କୁ ନେଇ ଗଣମାଧ୍ୟମକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଭଳି ଭାବେ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସେବା, ସାମାଜିକ କାର୍ଯ୍ୟକ୍ରମ ଓ ରାଜନୈତିକ ଆୟୋଜନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ପାଳନ କରାଯାଉଛି।