Odia News Portal

ଉଜ୍ଜୟିନୀରେ ଉଜୁଡ଼ିଗଲା ଓଡ଼ିଆ ପରିବାର

ଆଉ କେଇଟା ଦିନରେ ହେଇଥାନ୍ତା ଝିଅର ନିର୍ବନ୍ଧ, ଖୁସିରେ ଦେବ ଦର୍ଶନ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ପରିବାରର ୭ ସଦସ୍ୟ ,  ହେଲେ ବାଟରେ ଯେ ମୃତ୍ୟୁ ଛକି ବସିଥିଲା, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ । ଥରକେ ଚାଲିଗଲା ସମସ୍ତଙ୍କ ଜୀବନ । ମଧ୍ୟପ୍ରଦେଶରେ ଏକ କାର୍ ବଢ଼ି ପାଣିରେ ଭାସିଯିବା ଫଳରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିଛି। ସବୁଠାରୁ ଦୁଃଖଦ କଥା ହେଉଛି, ସମସ୍ତ ମୃତକ ହେଉଛନ୍ତି ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳର ଏବଂ ଏମାନେ ସମସ୍ତେ ଗୋଟିଏ ହିଁ ପରିବାରର।ଏହି ପରିବାର ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଏକ କାର୍ ଯୋଗେ ବାହାରିଥିଲେ। କିନ୍ତୁ ଅଗର ମାଲୱା ଜିଲ୍ଲାର ନଲଖେଡ଼ା ନିକଟରେ ଥିବା ଏକ ଝରଣାରେ ହଠାତ୍ କାରଟି ଭାସି ଯାଇଥିଲା। ବଢ଼ି ପାଣି ପାର୍ କରିବା ପାଇଁ ଡ୍ରାଇଭରଙ୍କର ଦୁଃସାହସ ହିଁ ଏହି ଭୟଙ୍କର ଅଘଟଣର ମୁଖ୍ୟ କାରଣ ସାଜିଥିବା ସୂଚନା ମିଳିଛି।

ଏହି ଦୁଃଖଦ ଅଘଟଣାରେ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଛି। ପରିବାରର ପୁଅ, ନାତି ଓ ନାତୁଣୀଙ୍କ ସମେତ ଝିଅ, ଜ୍ୱାଇଁ ଏବଂ ଆଉ ଜଣେ ଅବିବାହିତ ଝିଅ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସବୁଠାରୁ ହୃଦୟ ବିଦାରକ କଥା ହେଉଛି, ମୃତକଙ୍କ ମଧ୍ୟରେ ଥିବା ଅବିବାହିତ ଝିଅଙ୍କର ଆସନ୍ତା ୨୨ ତାରିଖରେ ହେଇଥାନ୍ତା ନିର୍ବନ୍ଧ । ଘରେ ସାହାନାଇ ବାଜିବା ପୂର୍ବରୁ ପୂରା ଘରେ ଖେଳିଯାଇଛି ଶୋକର ସାଗର। ଏହି ଘଟଣା ସମଗ୍ର ଜୟଦେବ ବିହାର ଅଞ୍ଚଳ ତଥା ରାଜ୍ୟରେ ଶୋକର ଲହରୀ ଖେଳାଇ ଦେଇଛି। ଏଭଳି ଦୁଃଖଦ ଘଟଣା ଘଟିବା ପରେ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି ବିଏମସି ମେୟର ସୁଲୋଚନା ଦାସ । ବିମାନ ଯୋଗ ମୃତ ଦେହଗୁଡ଼ିକୁ ଭୁବନେଶ୍ବର ଆଣିବା ପାଇଁ ଚେଷ୍ଟା କରାଯାଉଥିବା ସୂଚନା ଦେଇଛନ୍ତି ମେୟର