Odia News Portal

କଲେଜ ନଯାଇ ଦରମା ନେଇଛନ୍ତି ଖଣି ମନ୍ତ୍ରୀଙ୍କ ବୋହୂ

ଢେଙ୍କାନାଳ: ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନଙ୍କ ନୀତିହୀନ କାମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡିଛି । ଏନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପ୍ସା ପ୍ରଧାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ।

ସୂଚନାନୁଯାୟୀ, ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର ମହାବିଦ୍ୟାଳୟରେ କ୍ଲାସ ନ କରି ବି ଉଠାଇଛନ୍ତି ମାସକୁ ମାସ ଦରମା। ୨୦୧୬ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଏହି ମନ୍ତ୍ରୀଙ୍କର ବୋହୂ ଦିନେ ହେଲେ କଲେଜକୁ ଯାଇ ନାହାନ୍ତି। ହେଲେ ମାସକୁ ମାସ ଉଠାଇ ନେଇଛନ୍ତି ମୋଟା ଅଙ୍କର ଦରମା । ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପ୍ସାଙ୍କ ଉପସ୍ଥାନ ରେକର୍ଡ କଲେଜରେ ନାହିଁ, ହେଲେ ମାସକୁ ମାସ ଦରମା ଦିଆଯାଉଛି । ଏନେଇ କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଲିପ୍ସା ସେହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ । ଏପଟେ ବାଣୀବିହାରରେ ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପ୍ସାଙ୍କ ନାଁରେ କେହି ପିଏଚଡି କରିନଥିବା ତଥ୍ୟ ଆରଟିଆଇରୁ ମିଳିଛି ।ଏହାକୁ ଗୁରୁତ୍ୱର ସହ ନେଇ ଲୋକାୟୁକ୍ତ ଏହି ଘଟଣାର ତଦନ୍ତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।