ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗି ଯିବାରୁ ସୃଷ୍ଟି ହୋଇଛି ଭୟାନକ ପରିସ୍ଥିତି | ରବିବାର ସକାଳେ ଉତ୍ତରାଖଣ୍ଡର ଚମେଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ଥିବା ଗ୍ଲାସିଅରର ଏକ ବଡ଼ ଅଂଶ ଖସି ପଡ଼ିଛି। ଏହି କାରଣରୁ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଘଟଣାରେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇ ଲୋକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଦେଇଛି।

ଏହି ଘଟଣା ସକାଳ ୮ଟାରୁ ୯ଟା ଭିତରେ ହୋଇଛି । ପ୍ରଶାସନ ଆଲର୍ଟରେ ରହିଛି । ଘଟଣାସ୍ଥଳରୁ ସରକାର ଏନଡିଆରଏଫ ଟିମ୍ ପଠାଇଛନ୍ତି । ଟିମ୍ ପହଁଚିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ସ୍ଥିତିର ସମୀକ୍ଷା କରିଛନ୍ତି ।

ଚମୋଲୀ ଜିଲ୍ଲା ଅଧିକାରୀ ଧୋଲୀଗଙ୍ଗା ନଦୀ କୂଳରେ ରହୁଥିବା ଲୋକଙ୍କୁ ବାହାରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇଆଲର୍ଟରେ ପ୍ରଶାସନ ରହିବା ସହ ଘଟଣାସ୍ଥଳକୁ ଏକ ଟିମ୍ ଗସ୍ତ କରିଛି । ହିମ ସ୍ଖଳନ ଫଳରେ ଧୋଲି ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବହୁ କ୍ଷତି ହୋଇଛି। ଏହା ସହିତ କିଛି ଝୁଲା ପୋଲ ମଧ୍ୟ ଭାଙ୍ଗିଯାଇଛି । ଏହା ବ୍ୟତୀତ ନିର୍ମାଣାଧୀନ ତପୋଭାନ୍ ବିଷ୍ଣୁଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡ୍ୟାମ୍ ପାର୍ଶ୍ୱ ବ୍ୟାରେଜ୍ ସ୍ଥାନ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।