ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ ଖାଲି କୁଡ଼ କୁଡ଼ ଶବ । ଦେଖିଲେ ଡର ଲାଗୁଥିଲେ ଆଉ ନଦେଖିଲେ ଲୁହ ବାହାରୁଥିଲା । ଆଉ ଆଜି ବି ଯଦି ସେହି କଥା ମନେ ପଡ଼ିଯାଏ ଦେହ ସିହରି ଉଠେ । ୧୯୯୯ ମସିହା ମହାବାତ୍ୟା । ସବୁକିଛି କିଛି ଉଜାଡ଼ି ଦେଇଥିଲା । ପିଲାଠାରୁ ବାପାଙ୍କୁ ଛଡ଼ାଇ ନେଇଥିଲା ଆଉ ବୃଦ୍ଧ ବାପା ଆଖି ଆଗରେ ଭାସିଯାଇଥିଲା ଭେଣ୍ଡିଆ ପୁଅ । ତେବେ ଏହି ପ୍ରଳୟଙ୍କରୀ ବାତ୍ୟାକୁ ପୁରିଛି ୨୨ ବର୍ଷ । ଆଜିର ଦିନରେ ଘଟିଥିଲା ବଡ଼ ଅଘଟଣ । ଯାହାକି ସବୁଦିନ ଲାଗି ଓଡ଼ିଶାବାସୀଙ୍କ ଲାଗି ଚିର ସ୍ମରଣୀୟ ହୋଇ ରହିବ । ଦିନ ବିତିଯାଇଛି ସତ ଆଜି ବି ଚିହ୍ନ ରହିଯାଇଛି । ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳର ତଥା ଏରସମା ଅଞ୍ଚଳରେ ହୋଇଥିବା କ୍ଷତି କେବେ ବି ପୂରଣ ହୋଇପାରିବ ନାହିଁ ।
୧୯୯୯ ଅକ୍ଟୋବର ମାସ ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା । ଓଡ଼ିଶା ଇତିହାସରେ ଭୟଙ୍କର ପ୍ରାକୃତିକ ବିପର୍ୟ୍ୟୟ । ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ । ସେଦିନର ପ୍ରଳୟଙ୍କାରୀ ବାତ୍ୟା କେନ୍ଦ୍ରାପଡାରେ ରଚିଥିଲା ତାଣ୍ଡବ ଲୀଳା । ଆଜି ଯେଉଁଠି ଜନବସତି ଦେଖୁଛନ୍ତି, ସେଠି ସେଦିନ ଥିଲା ୮ ରୁ ୧୦ ଫୁଟର ପାଣି । ତେବେ ସେ ଦିନ ଆଜି ନାହିଁ ସତ ହେଲେ ସେହି ବିଭୀଷିକା ଏବେବି ମନରେ ସୃଷ୍ଟି କରୁଛି ଅଜଣା ଭୟ । ଏହା ମଧ୍ୟରେ ଅନେକ ବଦଳିଛି କେନ୍ଦ୍ରପଡା । ୨୨ ବର୍ଷ ତଳେ ଗୋଟିଏ ବି ବାତ୍ୟା ଆଶ୍ରୟସ୍ଥଳ ନ ଥିଲା, ହେଲେ ଆଜି ୧୧୭ ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ୧୯ ଟି ନୂଆ ତିଆରି ହେଉଛି । ସମସ୍ୟା ସମୟରେ ଯଥେଷ୍ଟ ପୂର୍ବରୁ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ପାରୁଛନ୍ତି ।