Odia News Portal

ସରକାରୀ ଘର ଭଡା ଦେବାକୁ ସଂଘ ନେତାଙ୍କ ଟଣା ଓଟରା

ଭୁବନେଶ୍ୱର : ସଂଘର ନିଜସ୍ୱ ଘର ଥାଉ ଥାଉ ନେତାମାନେ ଆଉ ଗୋଟିଏ କ୍ୱାଟର୍ସ ନେଲେ । ଏହାକୁ ହାତେଇବା ପରେ ଭଡାରେ ଲଗାଇ ଟଙ୍କା ଆଦାୟ କଲେ । ହେଲେ ଘରଭଡା ଦେଲେନାହିଁ । ଏବେ ଲକ୍ଷାଧିକ ଟଙ୍କାର ଭଡା ବାକି ପଡିବାପରେ କିଏ ଟଙ୍କା ଦେବ ତାହାକୁ ନେଇ ଚିଠି ଲେଖା ଆରମ୍ଭ ହୋଇଛି ।

ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଓଡିଶା ରାଜ୍ୟ ସଚିବାଳୟ ସେବା ସଂଘରେ । ସଂଘର ଖାରବେଳନଗରରେ ନିଜସ୍ୱ ଦପ୍ତର ଥିବାବେଳେ ସଚିବାଳୟ ନିକଟରେ ଆଉ ଗୋଟିଏ ସରକାରୀ କ୍ୱାଟର୍ସ ହାତଇନେଲେ । ଏହକୁ ଘରକୁ ନେବାପରେ ଭଡାରେ ଲଗାଇ ମାସକୁ ମାସ ଟଙ୍କା ଆଦାୟ କଲେ । ହେଲେ ଘରଭଡା ଦେଲେନାହିଁ । ସୂଚନା ଅନୁଯାୟୀ ୨୦୦୬ ମସିହାରୁ ଘରଭଡା ଦିଆଯାଇନାହିଁ କି ଆଦାୟ ହୋଇଥିବା ଭଡା ଅର୍ଥ ସଂଘର ଆକାଉଣ୍ଟରେ ନାହିଁ । ବର୍ତ୍ତମାନ ଘରଭଡା କିଭଳି ପଇଠ ହେବ ସେ ନେଇ ସଂଘର ପୂର୍ବତନ ସମ୍ପାଦକ ଛଅ ଜଣ ପୂର୍ବତନ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ।

ସମ୍ପାଦକ ସିଧାସଳଖ ଲେଖିଛନ୍ତି ଯେ ସଂଘର ୩୫ଲକ୍ଷ ଟଙ୍କାର ହିସାବ ଗୋଳମାଳ ହୋଇଛି । ଟଙ୍କା କର୍ମକର୍ତ୍ତାମାନେ ୨୦୦୬ ମସିହାରୁ ଦୁଇ ନମ୍ବର ଘରର ଭଡା ଓ ଅନ୍ୟାନ୍ୟ ଦେୟ ପଇଠ କରିନାହାନ୍ତି । ଏହି କ୍ୱାଟର୍ସରୁ ୪ଲକ୍ଷ ଟଙ୍କାର ଭଡା ଆଦାୟ ହୋଇଥିବାବେଳେ ଏହି ଟଙ୍କା କୁଆଡେ ଗଲା ବୋଲି ସମ୍ପାଦକ ପ୍ରଶ୍ନ କରିଛନ୍ତି । ଏଭଳି ଚିଠି ପ୍ରଘଟ ହେବାପରେ ଏବେ ଅବସର ନେଇଥିବା ସଂଘର ଜଣେ ବରିଷ୍ଠ ସଦସ୍ୟ ଏହି ଟଙ୍କା ଚଳୁ କରିଥିବା ନେଇ ଲୋକସେବା ଭବନରେ ଆଲୋଚନା ଚାଲିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସଂଘର ନିଜସ୍ୱ ବିଶାଳ ଦପ୍ତର ଥାଉ ଥାଉ ନେତାମାନେ ଦ୍ୱିତୀୟ ଘଣ ନେଲେ କାହିଁକି ଓ ସରକାର ସେମାନଙ୍କୁ ଦେଲେ କାହିଁକି । ଏହି ଘଣ କେଉଁ ଉଦ୍ଦେଶ୍ୟରେ ନିଆଯାଇଥିଲା ଓ ସେଠାରେ କ’ଣ ସବୁ ହେଉଥିଲା । ଏହି ଘରେ ଯେଉଁ ବାବୁ ରହିଥିଲେ ସିଏ କାହାକୁ ଭଡା ଦେଉଥିଲେ । ଏହି ପ୍ରଶ୍ନ ଏବେ ଲୋକସେବାଭବନରେ ଘୂରି ବୁଲୁଛି ।

ତେବେ ନେଡିଗୁଡ କହୁଣିକୁ ବୋହିଯିବା ପରେ ଏବେ ଘରଭଡା କିଭଳି ଦିଆଯିବ ସେହି ଚିନ୍ତା ଘାରିଛି । ଗତ ଚାରିବର୍ଷ ଧରି ଆଦାୟ ଟଙ୍କା କୁଆଡେ ଗଲା ତାହାର ଖୋଳତାଡ ଆରମ୍ଭ ହୋଇଥିବାବେଳେ ୨୦୧୯ରୁ ବନ୍ଦ ଥିବା ସଂଘ ନିର୍ବାଚନ କିଭଳି ହେବ ସେଥିପାଇଁ ଏବେ କିଛି ବରିଷ୍ଠ ସଦସ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ପୁରୁଣା କର୍ମକର୍ତ୍ତାମାନେ ନିର୍ବାଚନ ନକରାଇବାକୁ ଷଡଯନ୍ତ୍ର କରୁଥିବା ନେଇ ମଧ୍ୟ ଲୋକସେଭା ଭବନରେ ଆଲୋଚନା ଜୋର ଧରିଛି ।