Odia News Portal

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି । ମାର୍ଚ୍ଚ ୧ ରୁ ଏପ୍ରିଲ ୫ ଯାଏ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ଯୁକ୍ତ ଦୁଇରେ ପ୍ରାୟ ସାଢେ ତିନି ଲକ୍ଷ ପିଲା ପରୀକ୍ଷା ଦେବେ । ଚଳିତବର୍ଷ +୨ ଥିଓରି ପରୀକ୍ଷା ପାଇଁ ପରିବର୍ତ୍ତନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଦେବାକୁ ଥିବା ରେଗୁଲାର ତଥା ୨୦୨୧ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ ।

୨୦୨୦ ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ । କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ । ଥିଓରି ପରୀକ୍ଷା ଲାଗି ଉଦ୍ଦିଷ୍ଟ ଉତ୍ତର ଖାତାକୁ କୌଣସି ବି ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପ୍ରାକ୍ଟିକାଲ ପରୀକ୍ଷାରେ ବ୍ୟବହାର କରିପାରିବେ ନାହିଁ । ଏନେଇ ପରିଷଦ ଅଧୀନ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରିଷଦ ପରୀକ୍ଷା ନିୟନ୍ତ୍ରକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏଥର ବି ଦୁଇଟି ପର୍ଯ୍ୟାୟରେ ପରିକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ପ୍ରଶ୍ନପତ୍ର ପଠାଯିବ । ହବ୍‌ରେ ସିସିଟିଭି ଲଗାଇବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି ।