Odia News Portal

ଇତିହାସ ରଚିଲା ନାଗାଲାଣ୍ଡ, ପ୍ରଥମ କରି ଜିତାଇଲା ୨ଜଣ ମହିଳା ପ୍ରାର୍ଥୀଙ୍କୁ

ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ଜିତାଇ ୨୦୨୩ ବିଧାନସଭା ନିର୍ବାଚନକୁ ନାଗାଲାଣ୍ଡ୍‌ ସ୍ମରଣୀୟ କରିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

୨୦୨୩ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ଗଣନା ଚାଲିଥିବା ବେଳେ ଦୁଇ ମହିଳା ପ୍ରାର୍ଥୀ ସଲ୍‌ହୌତୁଓନୁଓ କ୍ରୁସେ ଏବଂ ହେକାନି ଜାଖାଲୁ ଜିଣିଥିବା ଜଣାପଡ଼ିଛି। ଉଭୟ ଶାସକ ‘ନ୍ୟାସ୍‌ନାଲିଷ୍ଟ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି’ (ଏନ୍‌ଡିପିପି) ତରଫରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସଲ୍‌ହୌତୁଓନୁଓ କ୍ରୁସେ ପଶ୍ଚିମ ଅଙ୍ଗାମି ଏସି ନିର୍ବାଚନ ମଣ୍ଡଳୀ ଏବଂ ହେକାନି ଜାଖାଲୁ ଦିମାପୁର-୩ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି।

ସ୍ଥାନୀୟ ହୋଟେଲ୍‌ ମାଲିକାଣୀ ସଲ୍‌ହୌତୁଓନୁଓ କ୍ରୁସେ ସ୍ବାଧୀନ ପ୍ରାର୍ଥୀ କେନିହାଖାଓ ନାଖ୍ରୋଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି ହେକାନି ଜାଖାଲୁ ହେଉଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍ନାତକ ଏବଂ ସେ ସେଠାରେ ଅଧ୍ୟାପନା କରୁଛନ୍ତି।

ସଂଗୃହୀତ ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍‌ର ୬୦ଟି ଆସନରୁ ‘ବିଜେପି ଓ ‘ଏନ୍‌ଡିପିପି’ ୩୯ଟି, ‘ଏନ୍‌ପିଏଫ୍‌’ ୧ଟି ଏବଂ ଅନ୍ୟାନ୍ୟ ୨୦ଟି ଆସନରେ ଅଗ୍ରଣୀ ଅଛନ୍ତି। ନାଗାଲାଣ୍ଡ୍‌ରେ ‘ବିଜେପି’ ନେତୃତ୍ବାଧୀନ ମେଣ୍ଟ ଅନାୟାସରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇସାରିଛି।

ମେଘାଳୟର ୬୦ ଆସନରୁ ଭୋଟ୍‌ ଗ୍ରହଣ କରାଯାଇଥିବା ୫୯ଟି ଆସନରୁ ମୁଖ୍ୟମନ୍ତ୍ରୀ ସାଙ୍ଗ୍‌ମାଙ୍କ ଦଳ ‘ଏନ୍‌ପିପି’ ୨୬ଟି, ‘ୟୁଡିପି’ ୧୦ଟି, କଂଗ୍ରେସ ୫ଟି, ‘ବିଜେପି’ ୩ଟି, ତୃଣମୂଳ କଂଗ୍ରେସ ୫ଟି ଏବଂ ଅନ୍ୟମାନେ ୧୦ଟି ଆସନରେ ଅଗ୍ରଣୀ ଅଛନ୍ତି।

ସେହିପରି, ତ୍ରିପୁରାର ୬୦ ଆସନରୁ ‘ବିଜେପି’ ୩୪ଟି, କଂଗ୍ରେସ+ବାମଦଳ ୧୪ଟି ଏବଂ ‘ଟିଆଇପିଆର୍‌ଏ’ ୧୨ଟି ଆସନରେ ଅଗ୍ରଣୀ ଅଛନ୍ତି।