Odia News Portal

ମେଘାଳୟରେ ପୁଣି ବିଜେପି-ଏନ୍‌ପିପି ମେଣ୍ଟ

ବୁଥ୍‌ ବାହୁଡ଼ା ମତ ମେଘାଳୟରେ ଠିକ୍‌ ପ୍ରମାଣିତ ହୋଇଛି। ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନି। ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନ୍‌ପିପି ୨୬ ଆସନରେ ବିଜୟୀ ହୋଇଛି। ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ ପାର୍ଟି) ୧୧ ଆସନରେ ଜିତି ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସ ୫ ଆସନରେ ଜିତିଛି ଏବଂ ବିଜେପିକୁ ମାତ୍ର ୨ଟି ଆସନ ମିଳିଛି। ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି। ଟିଏମ୍‌ସି ୫ଟି ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ମେଘାଳୟରେ ଏନ୍‌ପିପିକୁ ସଂଖ୍ୟା ଗରିଷ୍ଠତା ମିଳିନଥିବାରୁ ବିଜେପି ସହାୟତାରେ ରାଜ୍ୟରେ ସରକାର ଗଠନ କରିବାକୁ ଦଳ ପ୍ରୟାସ ଆରମ୍ଭ କରିଦେଇଛି। ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରିଛନ୍ତି ଏବଂ ରାଜ୍ୟରେ ସରକାର ଗଠନ ପାଇଁ ବିଜେପିର ସହଯୋଗ ଲୋଡ଼ିଛନ୍ତି। ଅନ୍ୟପକ୍ଷେ ଉତ୍ତରପୂର୍ବ ରାଜ୍ୟରେ କଂଗ୍ରେସ ଲଗାତାର ଭାବେ ଏହାର ଆସନସଂଖ୍ୟା ହରାଇ ଚାଲିଥିଲେ ସୁଦ୍ଧା ମେଘାଳୟରେ କଂଗ୍ରେସକୁ ଆଶ୍ବସ୍ତି ମିଳିଛି। ମେଘାଳୟରେ କଂଗ୍ରେସର ଆସନ ସଂଖ୍ୟା ଶୂନ ଥିଲା। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ ୫ଟି ଆସନରେ ଜିତିଛି। ୨୦୧୮ ନିର୍ବାଚନରେ ବିଜେପି- ଏନ୍‌ପିପି ଏକାଠି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସାଙ୍ଗମାଙ୍କ ଦଳରେ ଦୁର୍ନୀତି ପାଇଁ ବିବାଦ ହେବାରୁ ବିଜେପି ଏକାକୀ ନିର୍ବାଚନ ଲଢ଼ିଥିଲା ।