Odia News Portal

ପ୍ରଯୁକ୍ତି କଂପାନୀଗୁଡିକ ଦେଉଛନ୍ତି କର୍ମଚାରୀଙ୍କୁ ଛଟେଇ, ଦୈନିକ ହାର ୨୭୦୦

ବଡ଼ ବଡ଼ ପ୍ରଯୁକ୍ତି କଂପାନି, ଷ୍ଟାର୍ଟଅପ୍ ଓ ୟୁନିକର୍ଣ୍ଣ ଆଦିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ୨୦୨୩ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ବିଶେଷ କରି ଆମେରିକାର ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ କାମ କରୁଥିବା କର୍ମଚାରୀମା‌ନେ ଅଧିକ ପ୍ରଭାବିତ ହୋଇଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରଯୁକ୍ତି ଶିଳ୍ପରେ କାମ କରୁଥିବା ଏକ ଲକ୍ଷ ୫୩ ହଜାର କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି। ଅର୍ଥାତ ଦୈନିକ ୨୭୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇର ଶିକାର ହେବାକୁ ପଡ଼ିଛି। ଆମେରିକୀୟ କଂପାନି ମେଟା, ଗୁଗୁଲ୍, ଆମାଜନ ଓ ମାଇକ୍ରୋସଫ୍ଟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଗତବର୍ଷ ମେଟା ପକ୍ଷରୁ ୧୧ ହଜାର ଛଟେଇ ଘୋଷଣା କରାଯାଇଥିଲା। ଗୁଗୁଲ୍ ଏହାର କର୍ମଚାରୀ ସଂଖ୍ୟା ୧୨ ହଜାର କମ୍ କରିଥିବା ବେଳେ ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିଛି। ଇ-କମର୍ସ କଂପାନି ଆମାଜନ୍ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଟ୍ବିଟରକୁ କିଣିବା ପରେ ‌ତାହାର ଅଧା କର୍ମଚାରୀଙ୍କୁ ଏଲନ୍‌ ମସ୍କ ବିଦା କରିଛନ୍ତି। ଆଜି ଟ୍ବିଟରର ଆଉ ୫୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଡେଲ୍‌ ଟେକ୍ନୋଲୋଜିସ୍‌ ୬,୬୫୦ କର୍ମଚାରୀଙ୍କୁ ବିଦା କରିଛି।

ଫେସବୁକ୍ ଆଉ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଥିବା ବେଳେ ଏରିକ୍ସନ ଏହାର ୮,୫୦୦ କର୍ମଚାରୀଙ୍କୁ ବିଦା କରିବା ଆଶଙ୍କା ରହିଛି। ମ୍ୟାକିନ୍‌ସେ ୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ। ଟ୍ରୁଅପ୍ ଡଟ୍‌ ଆଇଓ ନାମକ ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୩ରେ ୫୩୪ଟି କଂପାନି ୧,୫୩,୦୦୫ କର୍ମଚାରୀ ଛଟେଇ କରିବା ବିଷୟରେ ଘୋଷଣା କରିଛନ୍ତି। ଅର୍ଥାତ ଦୈନିକ ୨,୭୩୨ ଜଣ କର୍ମଚାରୀଙ୍କୁ ବିଦା କରାଯାଇଛି। ଗତବର୍ଷ ସାରାରେ ୨,୪୧,୧୭୬ କର୍ମଚାରୀ ଛଟେଇର ଶିକାର ହୋଇଛି। ହାରାହାରି ଭାବେ ଦୈନିକ ୧,୫୩୫ ଜଣ କର୍ମଚାରୀ ବିଦା ହୋଇଥିଲେ।