Odia News Portal

ବଢିବ ଏୟାରଟେଲର ସେବା ମୂଲ୍ୟ, ଆଗୁଆ ସଙ୍କେତ ଦେଲେ ଅଧ୍ୟକ୍ଷ ମିତ୍ତଲ

ଦରମା ବଢ଼ୁଛି, ଘରଭଡ଼ା ବଢ଼ୁଛି, କିନ୍ତୁ ଗୋଟିଏ ଜିନିଷର ମୂଲ୍ୟ ବଢ଼ୁନାହିଁ। କାହାର କିଛି ଆପତ୍ତି ନାହିଁ। ଲୋକମାନେ ନାମମାତ୍ର ଟଙ୍କା ଦେଇ ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି ବୋଲି ଏୟାରଟେଲ୍‌ର ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିବା ସହ କିଛି ମାସ ପରେ ମୋବାଇଲ୍‌ କଲ୍‌ ଓ ଡାଟା ମୂଲ୍ୟ ବଢ଼ିବାର ଆଗୁଆ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ‌ଟେଲିକମ୍ ହେଉଛି ଏଭଳି ଏକ ଶିଳ୍ପ ଯେଉଁଥିରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ୁଛି, କିନ୍ତୁ ତାହା ଉପରେ ମିଳୁଥିବା ରିଟର୍ଣ୍ଣ ବହୁତ କମ୍ ରହୁଛି। ଏହି ସ୍ଥିତି ବଦଳିବା ଦରକାର। ରିଚାର୍ଜ ମୂଲ୍ୟରେ ଅଳ୍ପ ବୃଦ୍ଧି ଦରକାର ହେଉଛି। ଚଳିତ ବର୍ଷ ଦାମ୍ ବଢ଼ିପାରେ। ସବୁ କଂପାନି ଦାମ୍ ବଢ଼ାଇପାରନ୍ତି ବୋଲି ସେ କହିଛନ୍ତି।

ରିଚାର୍ଜ ମୂଲ୍ୟରେ ବୃଦ୍ଧି ଆର୍ଥିକ ସ୍ତରରେ ଦୁର୍ବଳ ଲୋକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଶ୍ନ ହେବାରୁ ‌ଶ୍ରୀ ମିତ୍ତଲ କହିଛନ୍ତି ଯେ ଲୋକମାନେ ଅନ୍ୟ ଜିନିଷରେ ଯେତିକି ବ୍ୟୟ କରୁଛନ୍ତି ଏହି ଦରବୃଦ୍ଧି ତା’ ତୁଳନାରେ ବହୁତ କମ୍। ଆମକୁ ଦୋରେ ଏକ ଦୃଢ଼ ଟେଲିକମ୍ କଂପାନି ଆବଶ୍ୟକ। ଏକ ଡିଜିଟାଲ ଭାରତ ସ୍ବପ୍ନ ସାକାର ହୋଇଛି। ସରକାର, ନିୟାମକ ସଂସ୍ଥା ଓ ସାଧାରଣ ଜନତା ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ସେ କହିଛନ୍ତି। ବିଏସ୍‌ଏନ୍‌ଏଲ୍‌ ଓ ‌ଭୋଡାଫୋନ୍ ଆଇଡିଆକୁ ସାହାଯ୍ୟ କରି ସରକାର ଟେଲିକମ୍ ଶିଳ୍ପର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ବହୁତ କାମ କରିଛନ୍ତି ବୋଲି ସେ କହିଛନ୍ତି। ଭାରତରେ ଆଉ ଭୋଡାଫୋନ୍‌ ଆଇଡିଆ ଭଳି ସ୍ଥିତି ସୃଷ୍ଟି ନହେଉ ବୋଲି ମିତ୍ତଲ କହିଛନ୍ତି।

ଭାରତ ଭଳି ଏକ ବଡ଼ ଦେଶ ପାଇଁ ତିନିଟି ଟେଲିକମ୍ କଂପାନି ଆବଶ୍ୟକ ବୋଲି କହିବା ସହ ସେ କହିଛନ୍ତି ଯେ ତୃତୀୟ ସଂସ୍ଥାଟି ଏବେ ବିଏସ୍‌ଏନ୍ଏଲ୍‌ ରହିଛି ଏବଂ ଭୋଡାଫୋନ୍ ଆଇଡିଆ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବ। ଭୋଡାଫୋନ୍‌ ଆଇଡିଆର ୧୬,୧୩୩ କୋଟି ଟଙ୍କା ଦେୟ ବଦଳରେ ସରକାର କଂପାନିର ୩୩.୪୪ ପ୍ରତିଶତ ଅଂଶଧନ ଗ୍ରହଣ କରିଛନ୍ତି। ଏବେ ଭୋଡାଫୋନ୍‌ର ସର୍ବବୃହତ ଅଂଶଧନକାରୀ ହେଉଛନ୍ତି ଭାରତ ସରକାର। ଏୟାରଟେଲ୍‌ କିଛି ମାସ ପୂର୍ବେ ଏହାର ସର୍ବନିମ୍ନ ରିଚାର୍ଜ ପ୍ଲାନ୍‌ର ଦାମ୍‌କୁ ୧୫୫ ଟଙ୍କାକୁ ବଢ଼ାଇଥିଲା। କଂପାନି ଏହାର ୯୯ ଟଙ୍କିଆ ପ୍ଲାନ୍‌କୁ ବନ୍ଦ କରିଦେଇଛି। ବ୍ୟବସାୟକୁ ନିରବଚ୍ଛିନ୍ନ ରଖିବା ଲାଗି ଏୟାରଟେଲ୍‌ ଏହାର ଗ୍ରାହକ ପିଛା ରାଜସ୍ବକୁ ପ୍ରଥମେ ୨୦୦ ଟଙ୍କା ଏବଂ ଦୀର୍ଘମିଆଦୀ ଭିତ୍ତିରେ ୩୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଉପରେ କାମ କରୁଛି।