Odia News Portal

ବଜେଟରେ ଯୁବ ଶକ୍ତିର ଉପଯୋଗ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି; ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୁବଶକ୍ତିର ଉପଯୋଗ – କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ହେଉଛି ତୃତୀୟ। ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅମୃତ କାଳର ପ୍ରଥମ ବଜେଟ୍‌ରେ ଯୁବବର୍ଗ ଏବଂ ସେମାନଙ୍କ ଭବିଷ୍ୟତ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି।

କୋଭିଡ ମହାମାରୀ ସମୟର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ପ୍ରଯୁକ୍ତି ନୂତନ ପ୍ରକାରର ଶ୍ରେଣୀଗୃହ ସୃଷ୍ଟି କରିବାରେ ସହାୟକ ହେଉଛି। ସରକାର ‘ଯେକୌଣସି ସ୍ଥାନରେ ଜ୍ଞାନର ଉପଲବ୍ଧତା’ ଉପରେ ଧ୍ୟାନ ଦେଉଛନ୍ତି। ଏହି ଅବସରରେ ସେ ୩ କୋଟି ସଦସ୍ୟ ଥିବା ଇ-ଅଧ୍ୟୟନ ପ୍ଲାଟଫର୍ମ ସ୍ୱୟମ୍‌ର ଉଦାହରଣ ଦେଇଥିଲେ। ଭର୍ଚୁଆଲ ପ୍ରୟୋଗଶାଳା ଓ ଜାତୀୟ ଡିଜିଟାଲ ପାଠାଗାରର ସମ୍ଭାବନା ଜ୍ଞାନ ଆହରଣର ଏକ ବ୍ୟାପକ ମାଧ୍ୟମ ଭାବେ ପରିଣତ ହେଉଛି। ଡିଟିଏଚ ଚାନେଲ ଜରିଆରେ ସ୍ଥାନୀୟ ଭାଷାରେ ପାଠପଢ଼ିବାର ସୁଯୋଗ ମିଳିପାରୁଛି। ନ୍ୟାସନାଲ ଡିଜିଟାଲ ବିଶ୍ୱବିଦ୍ୟାଳୟରୁ ଦେଶକୁ ଆହୁରି ଅଧିକ ସାମର୍ଥ୍ୟ ମିଳିବ। ଏଭଳି ଭବିଷ୍ୟବାଦୀ ପଦକ୍ଷେପ ଆମର ଶିକ୍ଷା, ଦକ୍ଷତା ବିକାଶ ଏବଂ ଜ୍ଞାନ-ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘ଚାକିରି ସମୟରେ ଅଧ୍ୟୟନ’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁ ଦେଶ ଏହା ଉପରେ ବିଶେଷ ଜୋର ଦେଉଛନ୍ତି। ଦେଶର ଯୁବକଯୁବତୀମାନଙ୍କୁ ଶ୍ରେଣୀଗୃହ ବାହାରେ ପ୍ରଶିକ୍ଷଣ ଦେବା ଲାଗି ଇଣ୍ଟର୍ଣ୍ଣସିପ୍‌ ଓ ଆପ୍ରେଣ୍ଟିସ୍‌ସିପ୍‌ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି। ନେସନାଲ ଇଣ୍ଟର୍ଣ୍ଣସିପ ପୋର୍ଟାଲରେ ୭୫ ହଜାର ନିଯୁକ୍ତିଦାତା ପଞ୍ଜୀକୃତ ହୋଇଛନ୍ତି ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଇଣ୍ଟର୍ଣ୍ଣସିପ ଆବଶ୍ୟକତା ପୋଷ୍ଟ କରାଯାଇଛି। ଏହି ପୋର୍ଟାଲର ସର୍ବାଧିକ ଉପଯୋଗ କରିବା ଏବଂ ଦେଶରେ ଇଣ୍ଟର୍ଣ୍ଣସିପ ସଂସ୍କୃତିକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ସେ ଶିଳ୍ପ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷର ବଜେଟରେ ଏକ ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଛି ଏବଂ ଜାତୀୟ ଆପ୍ରେଣ୍ଟିସ୍‌ସିପ ପ୍ରୋତ୍ସାହନ ଯୋଜନା ଅଧୀନରେ ପ୍ରାୟ ୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ଉପଲବ୍ଧ କରାଯାଇଛି।