Odia News Portal

ଓଡ଼ିଶାରେ ୪,୫୧୯ କୋଟି, ଦେଶରେ ୧.୪୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ଚଳିତ ବର୍ଷ ଫେବ୍ରୁଆରିରେ ସାରା ଦେଶରେ ୧,୪୯,୫୭୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷର ଫେବ୍ରୁଆରି ସଂଗ୍ରହ ତୁଳନାରେ ୧୨ ପ୍ରତିଶତ ଅଧିକ। ଏଥିରୁ ୪,୫୧୯ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ କରାଯାଇଛି। ୨୦୨୨ ଫେବ୍ରୁଆରିରେ ଓଡ଼ିଶାରେ ସଂଗ୍ରହ କରାଯାଇଥିବା ୪,୧୦୧ କୋଟି ଟଙ୍କା ତୁଳନାରେ ଏହା ୧୦ ପ୍ରତିଶତ ଅଧିକ ରହିଛି। ଦେଶରେ ଲଗାତାର ୧୨ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

ଜାତୀୟ ସ୍ତରରେ ଫେବ୍ରୁ୍ଆରିରେ ୨୭,୬୬୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୩୪,୯୧୫ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୭୫,୦୬୯ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ କରାଯାଇଥିବା ବେଳେ ୧୧,୯୩୧ କୋଟି ଟଙ୍କାର ସେସ୍‌ ମଧ୍ୟ ସଂଗ୍ରହ କରାଯାଇଛି। ୨୦୨୨ ଫେବ୍ରୁଆରିରେ ଦେଶରେ ଜିଏସ୍‌ଟି ସଂଗ୍ରହ ପରିମାଣ ୧,୩୩,୦୨୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଫେବ୍ରୁଆରିରେ ଆମଦାନି ହୋଇଥିବା ସାମଗ୍ରୀରୁ ୬ ପ୍ରତିଶତ ଅଧିକ ଏବଂ ଘରୋଇ କାରବାରରୁ ୧୫ ପ୍ରତିଶତ ଅଧିକ ଟିକସ ସଂଗ୍ରହ ହୋଇଛି। ସେଥିପାଇଁ ସର୍ବକାଳୀନ ସର୍ବାଧିକ ୧୧,୯୩୧ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍‌ରେ ଜିଏସ୍‌ଟି ସଂଗ୍ରହ ୧୨ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ୮.୫୪ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।