Odia News Portal

ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ଆଦାନୀ

ବିଶ୍ବ ଧନୀ ତାଲିକାରେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୩୦ତମ ସ୍ଥାନକୁ ଖସିଆସିଛନ୍ତି। ମାସକ ପୂର୍ବରୁ ସେ ତୃତୀୟ ସ୍ଥାନରେ ଥିଲେ। ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ତାଙ୍କ କଂପାନି ବିରୋଧରେ ଜାଲିଆତି ଓ ହେରଫେର ଭଳି ଗମ୍ଭୀର ଅଭିଯୋଗ ଆଣିବା ପରଠାରୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ନିୟମିତ ହ୍ରାସ ହେଉଛି। ତାଙ୍କ ସମ୍ପତ୍ତି ୮୦୦୦ କୋଟି ଡଲାର ହ୍ରାସ ପାଇଛି। ଗତ ଜାନୁଆରି ୨୪ରେ ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନ୍‌ବର୍ଗ ଏହାର ଚାଞ୍ଜଲ୍ୟକର ରିପୋର୍ଟ ଜାରି କରିଥିଲା। ତାହାର ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଖଣ୍ଡନ କରିଥିଲେ ମଧ୍ୟ ନିବେଶକମାନଙ୍କୁ ତାହା ଶାନ୍ତ କରିପାରିନାହିଁ।

ସେୟାର ବଜାରରେ ନିବେଶକମାନେ ଆଦାନି ଗ୍ରୁପ୍ ଅଧୀନରେ ଥିବା କଂପାନିଗୁଡ଼ିକର ସେୟାର ବିକ୍ରି କରୁଥିବାରୁ ସେଗୁଡ଼ିକର ଦାମ୍ ହ୍ରାସ ପାଉଛି। ଗତ ଏକ ମାସ ଭିତରେ ଆଦାନିଙ୍କ ବିଭିନ୍ନ କଂପାନିର ବଜାର ପୁଞ୍ଜି ପରିମାଣ ୧୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏହି କ୍ଷତି ଦେଶର ଦ୍ବିତୀୟ ମୂଲ୍ୟବାନ କଂପାନି ଟିସିଏସ୍‌ର ବଜାର ପୁଞ୍ଜି ସହ ସମାନ। ଆଦାନି ଟୋଟାଲ୍ ଗ୍ୟାସ୍‌ର ବଜାର ପୁଞ୍ଜିରେ ୮୦.୬୮ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଆଦାନି ଗ୍ରିନ୍ ଏନର୍ଜିରେ ୭୪.୬୨ ପ୍ରତିଶତ, ଆଦାନି ଟ୍ରାନ୍ସମିସନରେ ୭୪.୨୧ ପ୍ରତିଶତ ଓ ଆଦାନି ଏଣ୍ଟରପ୍ରାଇଜେସ୍‌ ବଜାର ପୁଞ୍ଜିରେ ୬୨ ପ୍ରତିଶତ ହ୍ରାସ ପାଇଛି। ଆଦାନି ପାୱାର, ଆଦାନି ୱିଲ୍‌ମାର୍‌, ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍ ଓ ଏନ୍‌ଡିଟିଭିର ବଜାର ପୁଞ୍ଜି ମଧ୍ୟ ହ୍ରାସ ପାଇଛି।