Odia News Portal

୩୮କୁ ଖସିଲା ଆଦାନୀ ଷ୍ଟକ, ପୁଣି ନମ୍ବର ୱାନରେ ଏଲନ ମସ୍କ

ଫୋର୍ବସ୍‌ ବିଶ୍ବ ଧନୀ ତାଲିକାରେ ପରିବର୍ତ୍ତନ ଘଟିଛି। ଗତ କିଛି ମାସ ଧରି ଏକ ନମ୍ବର ସ୍ଥାନରୁ ଖସିଯାଇଥିବା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଇଲେକ୍ଟ୍ରିକ୍ କାର୍‌ ନିର୍ମାଣ କରୁଥିବା ତାଙ୍କ କଂପାନି ଟେସ୍‌ଲାର ସେୟାର ମୂଲ୍ୟରେ ୧୦୦% ବୃଦ୍ଧି ହେବାରୁ ମସ୍କଙ୍କ ସମ୍ପତ୍ତି ୧୮୫୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ଧନୀ ଗୌତମ ଆଦାନିଙ୍କ ସ୍ଥିତିରେ ଅବନତି ଜାରି ରହିଛି। ଚଳିତ ବର୍ଷ ଜାନୁଆରି ୨୪ରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ଆଦାନି ଗ୍ରୁପ୍ ବି‌ରୋଧରେ ସେୟାର ମୂଲ୍ୟରେ ଜାଲିଆତି, ଆକାଉଣ୍ଟିଂ ହେରଫେର ଓ ଜାଲ୍ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିବା ପୂର୍ବରୁ ଆଦାନି ବିଶ୍ବ ଧନୀ ତାଲିକାର ତୃତୀୟ ସ୍ଥାନରେ ଥିଲେ। ଫୋର୍ବସ୍‌ ତଥ୍ୟ ଅନୁସାରେ ଏବେ ସେ ୩୮ତମ ସ୍ଥାନକୁ ଖସିଆସିଛନ୍ତି। ବ୍ଲୁମ୍‌ବର୍ଗ ତଥ୍ୟ ଅନୁସାରେ ଆଦାନି ୩୦ତମ ସ୍ଥାନରେ ରହିଛନ୍ତି।

ଜାନୁଆରି ୨୪ରେ ଆଦାନିଙ୍କ ସମ୍ପତ୍ତି ପରିମାଣ ୧୧,୯୦୦ କୋଟି ଡଲାର ଥିଲା। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବାର ଏକ ମାସ ବିତିଯାଇଥି‌ବା ବେଳେ ସେ ପ୍ରାୟ ୮୫୦୦ କୋଟି ଡଲାରର ସମ୍ପତ୍ତି ହରାଇସାରିଛନ୍ତି। ତାଙ୍କ ପାଖରେ ଏବେ ୩୩୪୦ କୋଟି ଡଲାର ସମ୍ପତ୍ତି ରହିଛି। ‌ତାଙ୍କ ଅଧିକାଂଶ ସମ୍ପତ୍ତି ବିଭିନ୍ନ କଂପାନିର ସେୟାର ମୂଲ୍ୟ ଉପରେ ନିର୍ଭର କରୁଛି। ଯେହେତୁ ଆଦାନି ଗ୍ରୁପ୍‌ ଅଧୀନରେ ଥିବା କଂପାନିଗୁଡ଼ିକର ସେୟାର ମୂଲ୍ୟ ଖସୁଛି, ସେଥିପାଇଁ ତାଙ୍କ ସମ୍ପତ୍ତି ହ୍ରାସ ପାଉଛି। ଭାରତର ଅନ୍ୟତମ ପ୍ରମୁଖ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ୮୪୩୦ କୋଟି ଡଲାର ସମ୍ପତ୍ତି ସହ ବିଶ୍ବ ଧନୀ ତାଲିକାର ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।