Odia News Portal

ଓଡିଶା ଅର୍ଥନୈତିକ ସର୍ଭେ ; ଜାତୀୟ ହାର ଠାରୁ କମିଲା ରାଜ୍ୟର ମୁଣ୍ଡପିଛା ଆୟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା ।

ସେହିପରି ନୂଆ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି ।

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ଥିଲେ ବି ସାମଗ୍ରୀକ ବିକାଶ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇପାରୁନାହିଁ । ଓଡ଼ିଶାର ମୁଣ୍ଡପିଛା ଆୟକୁ ଦେଖିଲେ ତାହା ଜଣାପଡ଼ୁଛି । ୨୦୨୨-୨୩ରେ ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିବା ଆକଳନ କରାଯାଇଛି, ଯାହାକି ଜାତୀୟ ହାର ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କାଠାରୁ କମ । ତେବେ ୨୦୧୧-୧୨ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୧୦.୯ ପ୍ରତିଶତ ବୃଦ୍ଧି ପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କେନ୍ଦ୍ର ବଜେଟ ଘୋଷଣା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଦେଶର ମୁଣ୍ଡପିଛା ଆୟ ୨୦୨୨-୨୩ରେ ୧ ଲକ୍ଷ ୯୭ ହଜାରକୁ ବୃଦ୍ଧି ପାଇଛି । କିନ୍ତୁ ଓଡ଼ିଶା ଅର୍ଥନୈତିକ ସର୍ଭେରେ ଜାତୀୟ ମୁଣ୍ଡପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା କୁହାଯାଇଛି । ଯଦି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ତଥ୍ୟକୁ ଠିକ ବୋଲି ଧରାଯାଏ ତେବେ ରାଜ୍ୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ଥିବା ତଫାତ ଆହୁରି ଅଧିକ ହେବ ।

ରାଜ୍ୟ ଜିଡିପିରେ ଶିଳ୍ପ ଓ ସେବା କ୍ଷେତ୍ରର ଅବଦାନ ୨୦୨୨-୨୩ରେ ଯଥାକ୍ରମେ ୪୧.୩ ପ୍ରତିଶତ ଓ ୩୬.୨ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ କରାଯାଇଛି ।  କୃଷି କ୍ଷେତ୍ରର ଅବଦାନ ୨୨.୫ ପ୍ରତିଶତ ରହିଛି । ୨୦୨୧-୨୨ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିଛି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଆର୍ଥିକ ସ୍ଥିତି ସନ୍ତୋଷଜନକ ଥିବା କୁହାଯାଇଛି । ୨୦୨୨-୨୩ରେ ରାଜ୍ୟର ଆର୍ଥିକ ନିଅଣ୍ଟ ରାଜ୍ୟ ଜିଡିପିର ୨.୮ ପ୍ରତିଶତ ରହିବା ଆକଳନ କରାଯାଉଥିବା ବେଳେ ରାଜସ୍ବ ବଳକା ରାଜ୍ୟ ଡିଜିପିର ୨.୩୮ ପ୍ରତିଶତ ରହିବା ଆକଳନ କରାଯାଉଛି । ସେହିପରି ରାଜ୍ୟର ଋଣ- ରାଜ୍ୟ ଜିଡିପି ଅନୁପାତ ୧୪.୭ ପ୍ରତିଶତକୁ ହ୍ରାସ ପାଇଛି ।