Odia News Portal

ଓଡ଼ିଆ ସିନେମାରେ ବଲିଉଡ୍ ଷ୍ଟାର୍ ସଞ୍ଜୟ ମିଶ୍ରାଙ୍କ ଏଣ୍ଟ୍ରି!

ଓଲିଉଡ୍‌ରେ ପୁଣି ଫେରିବାକୁ ଯାଉଛି ସେହି ପୁରୁଣା ଦିନର ସରଳ ଏବଂ ନିଚ୍ଛକ ପ୍ରେମ କାହାଣୀ। ୧୯୮୦ ଦଶକର ରୋମାନ୍ସକୁ ନେଇ ରୁପେଲି ପରଦାକୁ ଆସୁଛି ଏକ ନୂଆ ଚଳଚ୍ଚିତ୍ର ‘ମଧୁମାଳତି’। ବିଗ୍ ବଜେଟ୍ ଏବଂ ଭିନ୍ନ ସ୍ୱାଦର ଏହି ସିନେମା ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ବଲିଉଡ୍‌ର ଜଣାଶୁଣା ତଥା ପ୍ରସିଦ୍ଧ ଅଭିନେତା ସଞ୍ଜୟ ମିଶ୍ର।ଅରୋଶ୍ରୀ ଫିଲ୍ମସ ପ୍ରଯୋଜିତ ଏବଂ ଜନପ୍ରିୟ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ଦର୍ଶକଙ୍କୁ ମିଳିବ ଭରପୂର ମନୋରଞ୍ଜନ। ତେବେ ଚଳଚ୍ଚିତ୍ରର ସବୁଠାରୁ ବଡ଼ ଆକର୍ଷଣ ସାଜିଛନ୍ତି ସଞ୍ଜୟ ମିଶ୍ର। ନିଜର ଚମତ୍କାର ଅଭିନୟ ପାଇଁ ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସଞ୍ଜୟ ଏବେ ଓଡ଼ିଆ ସଂଳାପ କହି ଦର୍ଶକଙ୍କ ମନ ଜିଣିବେ।ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଓଲିଉଡ୍‌ର ଭେଟେରାନ ଅଭିନେତ୍ରୀ ମହାଶ୍ୱେତା ରାୟ, ଲିଡ୍ ରୋଲ୍‌ରେ ଗ୍ଲାମର ଗାର୍ଲ ଭୂମିକା ଦାଶ, ଆକାଶ ହୋତା, ସନୋଜ କୁମାର ଏବଂ ପ୍ରଜ୍ଞା ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। “80s Romance is Back” ଟ୍ୟାଗଲାଇନ୍ ସହ ନିର୍ମାଣ ହେଉଥିବା ଏହି ସିନେମାର ସଙ୍ଗୀତ ମଧ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇଛି, ଯାହା ଶ୍ରୋତାଙ୍କୁ ସେହି ସୁବର୍ଣ୍ଣ ଯୁଗର ଅନୁଭୂତି ଦେବ।ଆସନ୍ତା ୨୦୨୬ ଦଶହରା ଅବସରରେ ଏହି ସିନେମାଟି ପ୍ରେକ୍ଷାଳୟକୁ ଆସିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଓଲିଉଡ୍‌ ଏବଂ ବଲିଉଡ୍‌ କଳାକାରଙ୍କ ଏହି ଅପୂର୍ବ ଜୁଗଳବନ୍ଦୀ ଓଡ଼ିଆ ସିନେମା ଜଗତରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ଆଶା କରାଯାଉଛି।