Odia News Portal

ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?

ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ କାର୍ଯ୍ୟକ୍ରମ ରୂପେ ପ୍ରକାଶ ପାଇବ। ଏକ ଲୋକପ୍ରିୟ ଷ୍ଟ୍ରିମିଂ ମଞ୍ଚରେ ‘ଲଭ୍ ସାଦି ଡ୍ରାମା’ ନାମରେ ଏହି କାର୍ୟ୍ୟକ୍ରମ ଧାରାବାହିକ ଭାବେ ପ୍ରଦର୍ଶିତ ହେଉଛି। ଏଥିରେ ହଂସିକା ବିବାହର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାରୁ ଆରମ୍ଭ କରି ହାତଗଣ୍ଠି ପଡ଼ିବା ଦିନ ପର୍ୟ୍ୟନ୍ତ ସବୁ ଦୃଶ୍ୟ ଦର୍ଶକଙ୍କୁ ଦେଖିବାକୁ ମିଳିବ। ନିକଟରେ ଏହାର ପ୍ରଥମ ଅଧ୍ୟାୟ ମୁକ୍ତିଲାଭ କରିଛି। ସେଥିରେ ସେ କହିଛନ୍ତି ଯେ ୨୪ ବର୍ଷ ବୟସରୁ ସେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ କାର୍ଯ୍ୟବ୍ୟସ୍ତତା ବାଧକ ସାଜିଥିଲା।
ଶେଷରେ ସୋହେଲ ଧୈର୍ଯ୍ୟହରା ହେବାରୁ ସେ ବିବାହ ପାଇଁ ରାଜି ହୋଇଥିଲେ। ପ୍ରଥମ ଅଧ୍ୟାୟରେ ତାଙ୍କ ଉପରେ ଥିବା ଏକ ଆରୋପ ସମ୍ପର୍କରେ ହଂସିକା ମୁହଁ ଖୋଲିଛନ୍ତି। ସୋହେଲଙ୍କ ପୂର୍ବ ବିବାହ ଭାଙ୍ଗିବା ଲାଗି ତାଙ୍କୁ ଦାୟୀ କରାଯିବା ସମ୍ପର୍କରେ ସେ କହିଛନ୍ତି ଯେ ସେ ଜଣେ ସେଲିବ୍ରିଟି ହୋଇଥିବାରୁ ଲୋକେ ତାଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ସହଜ। ବାସ୍ତବରେ ସୋହେଲଙ୍କ ପୂର୍ବ ବିବାହ ବିଚ୍ଛେଦ ପଛରେ ତାଙ୍କର କୌଣସି ଭୂମିକା ନାହିଁ। ସେହିପରି ବିବାହର ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ନେଇ ରିଆଲିଟି ସୋ ନିର୍ମାଣ କରିବାର ନିଷ୍ପତ୍ତିକୁ ନେଇ ମଧ୍ୟ ସମାଲୋଚନା ହେଉଛି। କିନ୍ତୁ ହଂସିକା କହିଛନ୍ତି ଯେ ଏଭଳି ସମାଲୋଚନା ତାଙ୍କ ପାଇଁ ଗୁରୁତ୍ବହୀନ।