Odia News Portal

ଆର୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଜାମିନ୍ । ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍ରୁ ବାହାରିବା ପାଇଁ ଆର୍ୟନଙ୍କୁ ଆଉ ସମୟ ଅପେକ୍ଷା କରିବାକୁ ପଡିବ।

ଜାମିନ୍ ଉପରେ ଶୁଣାଣି ସମୟରେ ଏନସିବି କହିଛି ଯେ, ଆର୍ୟନ ଖାନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହୋଇଥିବା ଚାଟିଂର ପ୍ରମାଣ ମିଳିଛି। ଏହି ଚାଟିଂରେ ହାର୍ଡ ଡ୍ରଗ୍ସର ପରିମାଣ ଏବଂ ଦାମ୍କୁ ନେଇ ଆଲୋଚନା ହୋଇଥିଲା। ଆଡିସିନାଲ ସଲିସିଟର ଜେନେରାଲ ଏନସିବିର ଏହି କଥା ଦୋହରାଇଛନ୍ତି। ପେମେଣ୍ଟକୁ ନେଇ ଆର୍ୟନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହ୍ଵାଟ୍ସଆପ୍ରେ ଚାଟିଂ ହୋଇଛି। ଏହା କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ତ ହୋଇନଥିବ। ଏହାର ତଦନ୍ତର ଆବଶ୍ୟକତା ରହିଛି। ବିଦେଶୀ ନାଗରିକଙ୍କ ଚିହ୍ନଟ ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ ଚାଲିଛି, ଯଦ୍ଵାରା ତଦନ୍ତ ଆହୁରି ପ୍ରଭାବୀ ହୋଇ ପାରିବ। କ୍ରୁଜରେ ଏମିତି ମଧ୍ୟ ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ପାଖରୁ କାରବାର ପାଇଁ ଉଦ୍ଦିଷ୍ଟ ପରିମାଣର ଡ୍ରଗ୍ସର ମିଳିଥିଲା ବୋଲି ଆଡିସିନାଲ ସଲିସିଟର ଜେନେରାଲ କହିଛନ୍ତି।