Odia News Portal

ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’

ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍‌ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲ ପରିସରରେ ଏହି ଚଳଚ୍ଚିତ୍ରର ମହୁରତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜିକା ସାନଲିଶା ପଟେଲ, ବର୍ଷୀୟାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ମନମୋହନ ସାମଲ ଏବଂ ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣାଙ୍କ ବ୍ୟତୀତ ଅନ୍ୟ କଳାକାର ମଧ୍ୟ ଉପସ୍ଥିତ ଥିଲେ।

‘ପ୍ରଥା’ ହେଉଛି ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ, ଶୀତଲ ଓ ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମରନ୍ କୌର। ସିମରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଆମେ ଯୁଗଯୁଗାନ୍ତରରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛନ୍ତି। ଏଗୁଡ଼ିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ। ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ଅତୀତରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ସେସବୁ ମୂଲ୍ୟହୀନ। ଏହା ଜାଣି ମଧ୍ୟ ଆମେ ସେଇ ପ୍ରଥାକୁ ଅନୁକରଣ କରିଅାସୁଛନ୍ତି। ‘ପ୍ରଥା’ କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାହା ହିଁ ବ୍ୟାଖ୍ୟା କରୁଛି।

ଗ୍ରାମାଞ୍ଚଳର ଜୀବନ ଶୈଳୀ ଏବଂ ସହରାଞ୍ଚଳର ଜୀବନ ଶୈଳୀ ବିଲକୁଲ ଅଲଗା। ସ୍ବରାଜ ଲଭରବୟ ଭୂମିକାରୁ ବାହାରି ଏକ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି। ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଏବଂ ସିମରନ୍‌ଙ୍କୁ ଜଣେ ଆଧୁନିକା ଲଳନା ଚରିତ୍ରରେ ଦେଖିବାକୁ ମିଳିବ। ଦର୍ଶକ ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନାରୀଙ୍କ ମଧ୍ୟରେ ଥିବା ପ୍ରଭେଦ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତିl ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହେବ ବୋଲି ଏହାର ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।