Odia News Portal

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା । ଏମିତିକି କେହି କେହି ଏହାକୁ ଗୁଜବ ବୋଲି ଭାବିଥିଲେ । କିନ୍ତୁ ଝୁଲନ୍ତା ଶବ ଦେଖିବା ପରେ ସମସ୍ତଙ୍କ ହୃଦୟ ଥରି ଉଠିଥିଲା । ଯିଏ ଦିନେ ଆତ୍ମହତ୍ୟା ନକରିବା ଲାଗି କହୁଥିଲା ସେ କେମିତି ବା ଆତ୍ମହତ୍ୟା କରି ପାରିବ । ତେବେ ସେ ଯାହା ବି ହେଉ ଶେଷରେ ସମସ୍ତଙ୍କ ବିଶ୍ୱାସ କରିବାକୁ ହୋଇଥିଲା କି ଆଉ ନାହାଁନ୍ତ ଛିଛୋର ବୟ । ତେବେ ଆଜି ସେହି ଜୁନ୍ ୧୪ ତାରିଖ । ଆଉ ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ତାଙ୍କ ମୃତ୍ୟୁ କେମିତି ହେଲା ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆଜି ବି ସନ୍ଦେହ ଘେରରେ ରହିଛନ୍ତି ସମସ୍ତେ । ତାଙ୍କୁ ହତ୍ୟା କରାଯାଇଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ଏହି ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଯାଇଛି । ତାଙ୍କ ମୃତ୍ୟୁ ପରେ ହୋଇଥିବା ତଦନ୍ତ ପରେ ଯଦିଓ ବହୁତ କିଛି ତଥ୍ୟ ମିଳିଥିଲା । ତଥାପି ମୃତ୍ୟୁର କାରଣ ଏଯାବତ ଜଣାନାହିଁ । ବିହାର ଭଳି ପଛୁଆ ରାଜ୍ୟରୁ ଆସି ବଲିଉଡରେ ସମସ୍ତଙ୍କ ମନ ଜିଣିଥିଲେ ସେ । ଏମଏସ ଧୋନୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଫିଲ୍ମରେ ତାଙ୍କୁ ଦର୍ଶକେ ବେଶ ଭଲ ପାଇବା ଦେଇଥିଲେ । ତେବେ ଜିରୋରୁ ହିରୋ ହୋଇଥିବା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ କେବେ ଖୋଲୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।