Odia News Portal

ସିବିଆଇ ଏତଲାରେ ଖୁଲାସା, ଆର୍ୟନ ଖାନ୍ ମାମଲାରେ ୨୫ କୋଟି ଲାଞ୍ଚ ଦାବି କରିଥିଲେ ସମୀର ଓ୍ବାଙ୍ଖେଡେ

ଆର୍ୟନ ଖାନ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ନେଇ ତାଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ଆଦାୟ ପାଇଁ ଯୋଜନା ହୋଇଥିଲା।

ଓ୍ବାଙ୍ଖେଡେ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ସିବିଆଇ ଏତଲା ଅନୁଯାୟୀ ଏହି ମାମଲାରେ ସମୀର ଓ୍ବାଙ୍ଖେଡେ ଆର୍ୟନ ଖାନଙ୍କୁ ନ ଫସାଇବା ପାଇଁ ତାଙ୍କ ପରିବାରଠୁ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏତଲାର କପି ଅନୁଯାୟୀ ସମୀର ଓ୍ବାଙ୍ଖେଡେଙ୍କ ତରଫରୁ କେପି ଗୋସାଭି ନାମକ ବ୍ୟକ୍ତି ଏହି ଡିଲ୍ ପାଇଁ ମଧ୍ୟସ୍ଥତା କରୁଥିଲେ । ଗୋସାଭିଙ୍କୁ ଏହି ମାମଲାରେ ଏନସିବି ତରଫରୁ ସାକ୍ଷୀ ଭାବେ ସାମିଲ କରାଯାଇଥିଲା । ଶେଷରେ ଏହି ଡିଲ୍ ୧୮ କୋଟିରେ ଚୂଡ଼ାନ୍ତ ହୋଇଥିଲା । ଏପରିକି ଗୋସାଭି ୫୦ ଲକ୍ଷ ଟଙ୍କା ଆଡଭାନ୍ସ ମଧ୍ୟ ନେଇଥିଲେ।

ସମୀର ଓ୍ବାଙ୍ଖେଡେଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ମଧ୍ୟ ହୋଇଛି । ସେ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ ଓ ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ସଠିକ୍ ତଥ୍ୟ ଦେଇନଥିବା କହିଛି ସିବିଆଇ।

ସିବିଆଇ ମେ ୧୨ରେ ସମୀର ଓ୍ବାଙ୍ଖେଡେଙ୍କ ଘରେ ଚଢ଼ାଉ କରିଥିଲା । ସିବିଆଇ ଟିମ୍ ଓ୍ବାଙ୍ଖେଡେଙ୍କୁ ତାଙ୍କ ମୁମ୍ବାଇ ଘରେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ସିବିଆଇ ଅଧିକାରୀମାନେ ଓ୍ବାଙ୍ଖେଡେଙ୍କ ବାପା, ଶ୍ୱଶୁର ଏବଂ ଭଉଣୀଙ୍କ ଘରେ ମଧ୍ୟ ଛାନଭିନ୍ କରିଥିଲେ ।