Odia News Portal

ଏନସିବି କଷ୍ଟଡିରେ ଅଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଏବେ ଏନସିବି କଷ୍ଟଡିରେ ଅଛନ୍ତି । ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହାତରେ ଧରା ପଡିଛନ୍ତି ବଲିଉଡ ଷ୍ଟାର୍ କିଡ୍ ଆର୍ୟ୍ୟନ୍ ଖାନ୍। ଆର୍ୟ୍ୟନ୍ ହେଉଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ବଡପୁଅ। ଆର୍ୟ୍ୟନ୍ଙ୍କୁ ଏନସିବି ଅଟକ ରଖିଛି। ଏନ୍ସିବି ତାଙ୍କୁ ପଚରାଉଚରା ବେଳେ ଆର୍ୟ୍ୟନ୍ ନିଜ ଭୁଲ୍ ମାନିଛନ୍ତି। ଏହାପରେ ଏବେ ବଲିଉଡ ଦୁନିଆରେ ପୁଣିଥରେ ସୃଷ୍ଟି ହୋଇଛି ଚହଳ। ଆଉ ଏହାର କାରଣ ହେଉଛି ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନ୍ସିବି)ର ଅଧିକାରୀ ସମୀର ୱାନଖେଡେ। ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ସମୀର ୱାନଖେଡେ ହେଉଛନ୍ତି ସେହି ଅଧିକାରୀ, ଯିଏକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଷଡଯନ୍ତ୍ର ନେଇ ଯାଞ୍ଚ କରିଥିଲେ। ଏବେ ପୁଣିଥରେ ମୁମ୍ବାଇରେ ଏକ କ୍ରୁଜ୍ ସିପ୍ରେ ଚଢାଉ କରି ଶାହାରୁଖଙ୍କ ପୁଅକୁ ଅଟକ ରଖିଛନ୍ତି। ଏଭଳି କରି ସମୀର ୱାନଖେଡେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି।

ସୂଚନା ଅନୁଯାୟୀ, ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଏହି ଅପରେସନର ନେତୃତ୍ୱ ନେଇଥିଲେ। ସେ ତାଙ୍କ ଦଳ ସହିତ ମୁମ୍ବାଇରେ ସେହି ଜାହାଜରେ ଚଢ଼ାଉ କରିଥିଲେ । ଜାହାଜ ସମୁଦ୍ର କୂଳରେ ପହଞ୍ଚିବା ପରେ ସେଠାରେ ଡ୍ରଗ୍ ପାର୍ଟି ଆରମ୍ଭ ହୋଇଥିଲା। ପାର୍ଟିରେ ଲୋକଙ୍କୁ ଡ୍ରଗ୍ସ ନେଉଥିବାର ଦେଖି ଦଳ ଅପରେସନ୍ ଆରମ୍ଭ କରିଥିଲେ। ଏହି ଚଢାଉ ଜାରି ରହିଛି ଏବଂ ଧରାପଡିଥିବା ସମସ୍ତଙ୍କୁ ରବିବାର ମୁମ୍ବାଇ ଅଣାଯିବ।

ଡ୍ରଗ୍ ପାର୍ଟି ଚାଲିଥିବା ଏହି କ୍ରୁଜରେ ପ୍ରବେଶ ଶୁଳ୍କ ୬୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରଖାଯାଇଥିଲା। ଏନସିବି ରେଡ୍ ସମୟରେ ପ୍ରାୟ ୬୦୦ ହାଇ ପ୍ରୋଫାଇଲ୍ ଲୋକ ଏହି କ୍ରୁଜରେ ଉପସ୍ଥିତ ଥିଲେ । ଏହି ବିଳାସମୟ କ୍ରୁଜ୍ ଜାହାଜର କ୍ଷମତା ପ୍ରାୟ ୧୮୦୦ ବୋଲି କୁହାଯାଇଛି ଜ୍ଝ ଏହି ସମସ୍ତ ବଡ ହାଇ ପ୍ରୋଫାଇଲ୍ ଲୋକଙ୍କୁ ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା ଜ୍ଝ ଡାକରେ କିଟ୍ ମାଧ୍ୟମରେ କିଛି ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା ।