Odia News Portal

ଜନ୍ମବେଦୀରୁ ବାହୁଡୁଛନ୍ତି ମହାବାହୁ

ମଙ୍ଗଳବାର ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ।  ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ। ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ଆଗୁଆ ନୀତି ନିର୍ଘଣ୍ଟ ସାରିବାକୁ ପ୍ରସ୍ତୁତି ଚାଲିଛି। ତେବେ କରୋନା କଟକଣା ମଧ୍ୟରେ ବାହୁଡ଼ା ଯାତ୍ରା ହେବ। ଗତବର୍ଷ ଭଳି ଏଥର ବି ଭକ୍ତ ମନରେ ଅବଶୋଷ ରହିଗଲା । ଏଥର ବି ଜଗାର ଡୋରି ଲାଗିଲାନି । ରଥଯାତ୍ରା ସରିଯିବ । ଜଗାର ଦର୍ଶନ ସାତ ସପନ ହୋଇ ରହିଗଲା । ଭକ୍ତ ବିହୁନେ ସିଂହଦ୍ୱାର ଫେରିବେ ନୀଳାଦ୍ରିନାଥ । ଭକ୍ତଙ୍କ ପାଇଁ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ମନା ହୋଇଛି । ଘର ଛାତ ତଥା ବାଲକୋନୀରୁ ପ୍ରଭୁଙ୍କ ରଥଯାତ୍ରା ବି ଦର୍ଶନ ହେବନି । କଟକଣା ଉଲ୍ଲଂଘନ କଲେ କଡ଼ା ଦଣ୍ଡବିଧାନ ହେବ ।

ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟ ଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି । କେବଳ ସେବାୟତ ବାହୁଡ଼ା ରଥକୁ ଟାଣିବେ । କର୍ଡନ ଭିତରେ କୋଭିଡ୍‌ କଟକଣାରେ ରଥ ଟଣାଯିବ । ଡ୍ୟୁଟିରେ ଥିବା ଅଫିସରମାନେ ମଧ୍ୟ କଟକଣାକୁ ଅନୁପାଳନ କରିବେ । ଉଲ୍ଲଂଘନ ହେଲେ, ପ୍ରୋସିଡିଂର ସମ୍ମୁଖୀନ ହେବ । ସୋମବାର ଅପରାହ୍ନ ୨ଟାରୁ ପୁରୀ ସହରକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନକୁ ଚେକିଂ କରାଯାଉଛି ।