ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାରେ ରଖି ଚକ ଗୁଡ଼ିକୁ ଅଖାରେ ବାନ୍ଧି ଚାଞ୍ଚ ଢାଙ୍କି ସାଇତିଛନ୍ତି । ତିନିରଥର ଭୂଇଁ ନିର୍ମାଣରେ ଆବଶ୍ୟକ ଅଂଶ ଗୁଡ଼ିକ ପ୍ରସ୍ତୁତ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ଯୋଗାଇଥିବା ଖାମ୍ବୀ ଏବଂ ନିରାଡି ନିର୍ମାଣ ପାଇଁ ପ୍ରଥମ ଦଫାରେ ୪ ଟି ଲେଖାଏଁ ଆବଶ୍ୟକ ୨୦ ଫୁଟିଆ ଧଉରା,ଅସନ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ। ତିନିରଥ ମହାରଣା ସେବକ ମାନେ ଉକ୍ତ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ ଦ୍ୱିତୀୟ ପର୍ଯ୍ୟାୟରେ ରଥ ଅମୀନ ତିନିରଥର ଯୋକା ଏବଂ ମୁହାଁଟ ନିର୍ମାଣ ପାଇଁ ଯୋଗାଇଥିବା ଧଉରା କାଠ ତିନିରଥର ମହାରଣା ସେବକ ମାନେ ଚଉପଟ ପୂର୍ବକ ୪ ଗୋଟି ଲେଖାଏଁ ମୁହାଁଟ ଏବଂ ୧୬ ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି । ତାଳଧ୍ଵଜ ରଥର ବର୍ତମାନ ସୁଦ୍ଧା ୫ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।..
