Odia News Portal

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଡାକ ଶୁଣିଲେନି ଈଶ୍ୱର, ବଞ୍ଚାଇ ପାରିଲେନି ଦ୍ବିତୀୟ ଭଗବାନ। ସବୁ ଚେଷ୍ଟା, ସବୁ ପ୍ରୟାସ ପରେ ବି ଆଖି ବୁଜି ଦେଲେ ଅମ୍ରିତ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଜୀବନର ଯୁଦ୍ଧରେ ପରାଜିତ ହେଲେ। ନା ଜିତିଲା କୋଟି କୋଟି ଲୋକଙ୍କ ପ୍ରାର୍ଥନା, ନା ବଞ୍ଚାଇ ପାରିଲା ଗୁରୁଜନଙ୍କ ଆଶୀର୍ବାଦ। ସତରେ କେଡେ ନିଷ୍ଠୁର ଏ ଠାକୁର ? ଗୋଟେ ଭେଣ୍ଡିଆ ପୁଅକୁ ଛଡେଇ ନେଇ ମାଆର କୋଳଶୂନ୍ୟ କରିଦେଲେ , ବେସାହାର ବାପାର ବିଶ୍ୱାସ ଭାଙ୍ଗିଦେଲେ, ଭଉଣୀକୁ ଭାରାକ୍ରାନ୍ତ ଦୋଛକିରେ ଛିଡା କରିଦେଗଲେ। ଜିତିଗଲା ଯମ, ହାରିଗଲେ ଅମ୍ରିତ । ହସ୍ପିଟାଲ ବେଡରେ ଛ ମାସ ଛଟପଟ ହୋଇ ଶେଷରେ ଛାଡି ଚାଲିଗଲେ। ଆଉ ମୃତ୍ୟୁର ଉପତ୍ୟକାରେ ସବୁଦିନ ଲାଗି ସରିଗଲା ଜୀବନ ପାଇଁ ଅମ୍ରିତଙ୍କ ସଙ୍ଘର୍ଷ।

ବଞ୍ଚାଇ ପାରିଲାନି ବ୍ୟୟ ବହୁଳ ଅପରେସନ। ୧୯୬ ଦିନ ମୃତ୍ୟୁ ସହ ସଂଗ୍ରାମ କରି ବିଦାୟ ନେଇଛନ୍ତି ୨୪ ବର୍ଷର ଯୁବକ ଅମ୍ରିତ ପ୍ରଧାନ। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି । ନିକଟରେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ହୋଇଥିଲା, ଇକମୋ ଚିକିତ୍ସା ଏବଂ ଫୁସଫୁସ ପ୍ରତିରୋପଣରେ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ପରେ ବି ଅମ୍ରିତଙ୍କ ଆୟୁଷକୁ ନା ଆୟତ୍ତ କରିହେଲା ନା ତାଙ୍କୁ ବଞ୍ଚାଇହେଲା। ମଙ୍ଗଳବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରି ଆରପାରିକୁ ଚାଲି ଯାଇଛନ୍ତି ଅମ୍ରିତ ।