Odia News Portal

ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଆଦି ରହିଥାଏ।

ଆଜିଠାରୁ ୨୧ ଦିନିଆ ଦଣ୍ଡ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ବ୍ରହ୍ମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଭଞ୍ଜନଗର ଆଦି ଅଞ୍ଚଳରେ ଦଣ୍ଡ ନାଚ ଦଳ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଖଲ୍ଲିକୋଟ ବ୍ଲକରେ ଲଙ୍ଗଳେଶ୍ୱର ପୁଞ୍ଜା, ପଥରା ପୁଞ୍ଜା ଚଳିତ ବର୍ଷର ପରିକ୍ରମା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଦିନ ଦୋଳ ପୂର୍ଣ୍ଣିମା ଆଗରୁ ଦୋଳ ଠାକୁର ଓ ଦାଣ୍ଡ କାଳୀଙ୍କ ଭେଟଘାଟ ହୋଇଛି।

ପ୍ରତି ବର୍ଷ ଚୈତ୍ର ମାସରେ ଆରମ୍ଭ ହେଉଥିବା ବେଳେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଶେଷ ହୋଇଥାଏ ଦଣ୍ଡ ନାଚ। ମାନସିକଧାରୀମାନେ ମୀନ ସଂକ୍ରାନ୍ତି ଠାରୁ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ବ୍ରତ ପାଳିଥାନ୍ତି। ଭକ୍ତମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି। ଦଣ୍ଡ ଯାତ୍ରାରେ ଗୋଟିଏ ସ୍ଥାନରେ ଗୋଟିଏ ଦିନ-ରାତି ରହିଥାନ୍ତି । ସେହି ଦିନ ଉକ୍ତ ମାନସିକ ରଖିଥିବା ଭକ୍ତଙ୍କ ଘର ଆଗରେ ସେହି ଦିନ ଠାକୁର ବିଜେ ହୋଇଥାନ୍ତି। ଭୁକ୍ତା ବା ଦଣ୍ଡୁଆମାନେ ଧୂଳି ଦଣ୍ଡ ,ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ମଧ୍ୟରାତ୍ରରେ ଠାକୁରଙ୍କ ପୂଜା ଓ ଭୋଗଲାଗି ପରେ ପ୍ରଥମେ ଭୁକ୍ତା ଓ ପରେ ମାନସିକଧାରୀ ଏବଂ ଅନ୍ୟ‌ ଶ୍ରଦ୍ଧାଳୁମାନେ ଗୋଟାଏ ଥର ଭୋଜନ କରିଥାନ୍ତି। ତାହା ପୁଣି ନିଃଶବ୍ଦ ଓ ଅପେକ୍ଷାକୃତ ନିରୋଳା ଜାଗାରେ ପ୍ରସାଦ ଗ୍ରହଣ କରିଥାନ୍ତି। ପ୍ରସାଦ (ପରିବା) ବିନା କଟା ଓ ବିନା ବଟାରେ ପ୍ରସ୍ତୁତ ହୋଇଥାଏ। ଦିନବେଳା ଫଳ ଓ ନବାତ ପଣା ସେବନ କରିଥାନ୍ତି।

ଯେଉଁମାନେ ମାନସିକ ରଖି ଠାକୁରଙ୍କ ପାଖକୁ ଯାଆନ୍ତି ତାଙ୍କ ସହ ତାଙ୍କ ପରିବାର ମଧ୍ୟ ନୀତି ନିୟମ ପାଳିଥାନ୍ତି। ଗଞ୍ଜାମର ଏହି ପ୍ରସିଦ୍ଧ ପାରମ୍ପରିକ ଦଣ୍ଡ ନାଚ ଜିଲ୍ଲାର ଗାଁଗହଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ପ୍ରତିବର୍ଷ ଏହି ଯାତ୍ରା ଗଞ୍ଜାମ ଜିଲ୍ଲାକୁ ଗ୍ରୀଷ୍ମ ଋତୁ ଆରମ୍ଭରେ ଚଳଚଞ୍ଚଳ କରିଥାଏ। ଏପରିକି ଏଥିରେ ସାମିଲ ହେବାକୁ ଗାଁ, ଜିଲ୍ଲା, ରାଜ୍ୟ ଏପରିକି ଦେଶ ବାହାରେ ରହୁଥିବା ଭକ୍ତମାନେ ମଧ୍ୟ ଘରକୁ ଫେରିଥାନ୍ତି।