Odia News Portal

କଲେଜକୁ ମନା ବରା, ଆଳୁଚପ, ପକୁଡ଼ି

ଏଣିକି କଲେଜକୁ  ମନା  ପୁରୀ ବରା । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ କମିବ ଖାଇବା ତେଲର ବ୍ୟବହାର । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବ । ଖାଦ୍ୟରେ ବ୍ୟବହାର ହେଉଥିବା ତେଲର ପରିମାଣକୁ ଯଥା ସମ୍ଭବ ହ୍ରାସ କରାଯିବ । ପୁରୀ, ବରା, ଆଳୁଚପ୍‌ ଭଳି ତେଲଛଣା ଖାଦ୍ୟ ଜଳଖିଆରେ ଦିଆଯିବ ନାହିଁ । ଏପରିକି ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ସୋରିଷ, ଚିନାବାଦାମ, ଦେଶୀ ଘିଅ ଆଦି ଦେଶୀ ତେଲର ବ୍ୟବହାର କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ ବ୍ୟବହାର ଯଥାସମ୍ଭବ ହ୍ରାସ କରାଯିବ । ଜଳଖିଆ ତାଲିକାରେ ପରିବର୍ତ୍ତନ କରାଯାଇ, ପୁରୀ, ବରା ଓ ଆଳୁଚପ୍‌ ପରି ଅଧିକ ତେଲଯୁକ୍ତ ଖାଦ୍ୟ ବାରଣ କରାଯିବ । ପୁଷ୍ଟିକର ଖାଦ୍ୟକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁରୁତ୍ୱ ପ୍ରଦାନ କରିବେ ।

ବିଭାଗ ପକ୍ଷରୁ ଏହା କୁହାଯାଇଛି, କୋଭିଡ୍‌ ମହାମାରୀ ପରଠୁ ସମଗ୍ର ବିଶ୍ୱରେ ବାରମ୍ବାର ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ୟୁକ୍ରେନ୍‌ ଯୁଦ୍ଧ ପାଇଁ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି ।ଇନ୍ଧନ ଚାହିଦା ହ୍ରାସ ନିୟନ୍ତ୍ରଣ ପାଇଁ ଅନେକ ଦେଶ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ମଧ୍ୟ ଏହି ଦୀର୍ଘସ୍ଥାୟୀ ସଂକଟର ପ୍ରତିକୂଳ ପରିଣାମର ସମ୍ମୁଖୀନ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଛୋଟ ଛୋଟ ଉପାୟରେ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସାର୍ବଜନୀନ ଆହ୍ୱାନ କରିଛନ୍ତି ।