Odia News Portal

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡ଼ି ଗଣତି

ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଗଣତିରେ ଚିଲିକା ବନଖଣ୍ଡ ବିଭାଗ, ମାଛରଙ୍କା ବିରାଡ଼ି ସଂରକ୍ଷଣ ସଂସ୍ଥା ଏଥିରେ ସକ୍ରିୟ ସହଯୋଗ କରିବେ । ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀ, ବନ୍ୟଜୀବ ସୁରକ୍ଷା କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଗଣ ଅଂଶ ଗ୍ରହଣ କରିବେ ବୋଲି ବଣ ବିରାଡ଼ି ବିଶେଷଜ୍ଞ ଜିମ୍‌ ସାଣ୍ଡରସନ୍‌ ଜଣାଇଛନ୍ତି ।

ବିଶ୍ୱତମାମ ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ବନ୍ୟପ୍ରାଣୀକୁ ବିଲୁପ୍ତପ୍ରାୟ ସୂଚୀରେ ରଖାଯାଇଛି। ଚିଲିକାର ସନ୍ତସନ୍ତିଆ ଅଞ୍ଚଳ, ଦ୍ୱୀପାଞ୍ଚଳ ଓ ସୀମାରେ ଥିବା ଜଙ୍ଗଲରେ ଏହି ବିରଳ ବିରାଡ଼ି ଦେଖାଯାନ୍ତି । କାଳକ୍ରମେ ପରିବେଶ ନଷ୍ଟ ହେବା ଫଳରେ ସେମାନଙ୍କ ଘର ଭାଙ୍ଗି ଯାଉଛି । ଏହି କ୍ରମରେ ଚିଲିକା ଅଞ୍ଚଳରେ ଏହି ପ୍ରଜାତିର ବିରାଡ଼ିଙ୍କ ସଂଖ୍ୟା ଆକଳନ କରିବା ଲାଗି ପ୍ରୟାସ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଚିଲିକାର ଉତ୍ତର-ପୂର୍ବ ଅଞ୍ଚଳରେ ବିରାଡ଼ିଙ୍କ ସଂଖ୍ୟା ଗଣତି ହୋଇଥିଲା । ପ୍ରାୟ ୨୩୦ ବର୍ଗ କିମି ତନଖି କରାଯାଇଥିଲା ।

ସେଥିରୁ ୧୧୫ ବର୍ଗ କିମି ସନ୍ତସନ୍ତିଆ ଅଞ୍ଚଳ ହୋଇଥିବା ବେଳେ ବାକି ଆଖପାଖ ଅଞ୍ଚଳରେ ଖୋଜା ଯାଇଥିଲା । ଏହି ଗଣତିରେ ୧୧୯ଟି ବଣ ବିରାଡ଼ି ଠାବ ହୋଇଥିଲେ । ବାକି ଚିଲିକା ହ୍ରଦରେ ଥିବା ବିଭିନ୍ନ ଦ୍ୱୀପ, ଉପକୂଳରେ ଥିବା ହେନ୍ତାଳ ବନ ଓ କାଜୁ ଜଙ୍ଗଲରେ କେତେ ସଂଖ୍ୟକ ବିରାଡ଼ି ରହୁଛନ୍ତି ତାହାର ଖୋଜାଲୋଡ଼ା ଦ୍ୱିତୀୟ ପର୍ଯ୍ୟାୟରେ ହେବ । ପକ୍ଷୀ ଭଳି ବଣ ବିରାଡ଼ିଙ୍କ ସଂଖ୍ୟାର ଗଣତି ସାମୟିକ ବ୍ୟବଧାନରେ କରାଯିବ । ଏହି ଗଣତିରେ କ୍ୟାମେରା ଟ୍ରାପ୍‌ ୩୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଞ୍ଜି ବଣ ବିରାଡ଼ିଙ୍କ ସଂଖ୍ୟା ଆକଳନ କରାଯିବ । ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ସନ୍ତସନ୍ତିଆ ଜଙ୍ଗଲର ଉର୍ବରତାକୁ ଦର୍ଶାଇଥାଏ ବୋଲ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗୀୟ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ କହିଛନ୍ତି।