Odia News Portal

ଜଳୁଛି ଓଡ଼ିଶା: ଅଂଶୁଘାତରେ ଜଣେ ମୃତ, ୭୧ ଆକ୍ରାନ୍ତ

ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ମୟୂରଭଞ୍ଜରୁ ୭, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍‌ ରିଲେଟେଡ୍‌ ଇଲନେସ୍‌ ପାଇଁ ଆଡମିଶନ୍‌ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ପ୍ରଚଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସମସ୍ତ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଓ ICU ବେଡ୍‌ ରଖିବାକୁ କୁହାଯାଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏପ୍ରିଲରେ ଏଯାବତ୍‌ ୬ ଦିନ ହିଟୱେଭ୍ ଅନୁଭୂତ ହେଲାଣି । ଚଳିତ ମାସ ଆହୁରି ୩ ଦିନ ହିଟୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ।

ସେପଟେ ଆଜି ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଆଜି ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୭ ସହରର ତାପମାତ୍ରା । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡା ୪୩.୮ ଡିଗ୍ରୀ ସହ ସର୍ବୋଚ୍ଚ ରହିଛି । ଅନ୍ୟ ସହର ମଧ୍ୟରେ ସମ୍ବଲପୁର ୪୨.୪, କେନ୍ଦୁଝର ୪୨.୨, ଚାନ୍ଦବାଲି ୪୨.୨, ହୀରାକୁଦ ୪୨, ରାଉରକେଲା ୪୧.୮, ଭୁବନେଶ୍ୱର ୪୧.୪, ବାଲେଶ୍ୱର ୩୯.୪, ପାରାଦ୍ୱୀପ ୩୪.୮, ପୁରୀ ୩୪.୪, ଗୋପାଳପୁରରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।