ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଥାନା ବାହାରେ ଆଜି ଦେଖିବାକୁ ମିଳିଛି ହାଇଡ୍ରାମା। ପେଲେଟ୍ ଗନ୍ରେ ଆହତ ୧୯ ବର୍ଷୀୟ ଛାତ୍ର ସାହିଲ ଲୋଚାବଙ୍କୁ ସାଙ୍ଗରେ ନେଇ ପୁଲିସ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିଥିଲେ। ପ୍ରାୟ ୪ ଘଣ୍ଟାର ଧାରଣା ପରେ ଶେଷରେ ସାହିଲଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ FIR ରୁଜୁ କରିଛି। ଗତ ଜୁଲାଇ ୨୦ ତାରିଖରେ ଛାତ୍ରମାନଙ୍କ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ସାହିଲ ଗୁରୁତର ଆହତ ହୋଇଥିଲେ।
ପ୍ରଥମେ ଦିଲ୍ଲୀ ପୁଲିସ କହିଥିଲା ଯେ, ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଯାଞ୍ଚ କରୁଛି। ତେଣୁ ନୂଆ କରି FIR ରୁଜୁ କରିବା ଆବଶ୍ୟକ ନାହିଁ। ହେଲେ ଏହାକୁ ମାନିନଥିଲେ ରାହୁଲ ଗାନ୍ଧୀ। ରାହୁଲ କହିଥିଲେ, FIR ନହେବା ପର୍ଯ୍ୟନ୍ତ ସେ ଥାନା ବାହାରେ ଧାରଣାରୁ ଉଠିବେ ନାହିଁ। ଆବଶ୍ୟକ ପଡ଼ିଲେ ୩୦ ଦିନ, ଏପରିକି ୬ ମାସ ପର୍ଯ୍ୟନ୍ତ ମଧ୍ୟ ଧାରଣାରେ ବସିବେ ବୋଲି ସେ କହିଥିଲେ। ପରେ ପୁଲିସ ସାହିଲଙ୍କ ମେଡିକାଲ ରିପୋର୍ଟ ଓ ଚିକିତ୍ସା ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରି ମାମଲା ରୁଜୁ କରିଥିଲା। ଏହି ଧାରଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ।
ଧାରଣା ସମୟରେ ରାହୁଲ ଗାନ୍ଧୀ ପେଲେଟ୍କୁ ନେଇ ମଧ୍ୟ ବଡ଼ ଦାବି କରିଥିଲେ। ଏକ ପ୍ଲାଷ୍ଟିକ୍ ଡବାରୁ ପେଲେଟ୍ ବାହାର କରି ସେଗୁଡ଼ିକୁ ଗଣମାଧ୍ୟମ ସମ୍ମୁଖରେ ଦେଖାଇଥିଲେ। ଏହି ପେଲେଟ୍ଗୁଡ଼ିକ ସାହିଲଙ୍କ ଶରୀରରୁ ବାହାର କରାଯାଇଥିବା ରାହୁଲ ଦାବି କରିଥିଲେ। ଅନ୍ୟପଟେ, ଆହତ ଛାତ୍ର ସାହିଲ ମଧ୍ୟ ନିଜ ଶରୀରରେ ଥିବା ଆଘାତ ଓ କ୍ଷତର ଚିହ୍ନ ଗଣମାଧ୍ୟମକୁ ଦେଖାଇଥିଲେ। ରାହୁଲଙ୍କ ଦାବି ଅନୁସାରେ, ସାହିଲଙ୍କ ଆଖିରେ ଏବେ ବି ୩ଟି ପେଲେଟ୍ ରହିଛି ଏବଂ ଏହା ତାଙ୍କ ଦୃଷ୍ଟିଶକ୍ତି ପାଇଁ ଗୁରୁତର ଆଶଙ୍କା ସୃଷ୍ଟି କରିଛି। ତେବେ ରାହୁଲଙ୍କ ଧାରଣା, ପୁଲିସର FIR ଏବଂ ପେଲେଟ୍କୁ ନେଇ ତାଙ୍କ ଦାବି ପରେ ଏହି ଘଟଣାକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ପୁଣି ଗରମ ହୋଇଛି।
