Odia News Portal

ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଗୋପାଳପୁର ବତିଘର

ଗୋପାଳପୁର ବତିଘର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ। ଟୁରିଷ୍ଟମାନେ ମାତ୍ର ୧୦ ଟଙ୍କାର ଟିକେଟ କାଟି ଏହାର ୧୫୪ଟି ବୃତ୍ତାକାର ପାହାଚ ଚଢି ଶୀର୍ଷକୁ ପହଞ୍ଚିପାରିବେ। ସେହି ୪୫ ମିଟର ଉଚ୍ଚରୁ ଦିଗବଳୟ ପର୍ଯ୍ୟନ୍ତ ବିସ୍ତୃତ ଗଭୀର ସମୁଦ୍ରର ନୀଳ ଜଳରାଶି, ଦୂରରେ ଯାଆସ କରୁଥିବା ଜାହାଜ, ସମୁଦ୍ର ତଟର ପ୍ରାକୃତିକ ସୌନ୍ଦର୍ଯ୍ୟ ସମେତ ବେଳାଭୂମି ସହର ଗୋପାଳପୁରର ସ୍କାଏ ଭିୟୁ ଦେଖି ଆନନ୍ଦ ଉପଭୋଗ କରିପାରିବେ। ଏହାବାଦେ ବତିଘର ପରିସରରେ ନୂଆ କରି ନିର୍ମିତ ପିଲାଙ୍କ ପାଇଁ ପାର୍କ, ଓ୍ବାଟର୍ ଫାଉଣ୍ଟେନ୍, ଦୋଳି, ବସିବା ପାଇଁ ବ୍ୟବସ୍ଥା, ସେଲଫି ପଏଣ୍ଟ ସମେତ ରେଷ୍ଟୁରାଣ୍ଟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ଉପଯୋଗ କରିପାରିବେ। ଆଗାମୀ ଦିନରେ ଉପରକୁ ଯିବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ। ସମ୍ଭବତଃ ଆସନ୍ତା ମାସରୁ ବତିଘର ପୁଣି ଥରେ ପର୍ଯ୍ୟଟକଙ୍କ ସକାଶେ ଖୋଲିଯିବ।

୨୦୧୩ରୁ ସୁରକ୍ଷାଜନିତ କାରଣରୁ ବତିଘରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରି ଦିଆଯାଇଥିଲା। ୨୦୧୨ରୁ ବତିଘର ଉପରେ ଉପକୂଳ ସୁରକ୍ଷା ହେତୁ ତଟରକ୍ଷୀ ବାହିନୀ ଦ୍ଵାରା ସେନସର୍ ରାଡାର୍ ସଂଯୋଗ କରାଯାଇଥିଲା। ଏହାଦ୍ଵାରା ସମୁଦ୍ରରେ ଯାତାୟତ କରୁଥିବା ଜାହାଜ ଉପରେ ନଜର ରଖିବା ସହ ଚଳାଚଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଥିଲା। ଏଣୁ ବତିଘର ଉପରକୁ ଯିବା ବାରଣ ହୋଇଥିଲା। ବତିଘର ଶିଖରରେ ଲାଗିଥିବା ଯନ୍ତ୍ରପାତିକୁ ନିକଟରେ ନିର୍ମାଣ ଚାଲିଥିବା ଟାୱାରରେ ଖଞ୍ଜି ଦିଆଯିବା ପରେ ପର୍ଯ୍ୟଟକଙ୍କୁ ବତିଘର ଉପରକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ଏହି ବତିଘର ଅଧିକାରୀ ଏସ.କେ.ପାଢ଼ୀ।

ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାକୁ ଗୋପାଳପୁରରେ ନିକଟ ଅତୀତରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ସ୍ଥାନୀୟ ସହରବାସୀଙ୍କ ଆର୍ଥିକ ବିକାଶର ମାର୍ଗ ଅଧିକ ପ୍ରଶସ୍ତ ହୋଇଯାଇଛି। ବତିଘର ଖୋଲିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବା ଆଶା କରାଯାଉଛି।

୨୫.୬.୧୯୬୬ରେ ଗୋପାଳପୁର ବତିଘର କାର୍ଯ୍ୟାରମ୍ଭ ହୋଇ ୨୫.୧୨.୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ବେଳାଭୂମି ଠାରୁ ଅଳ୍ପ ଦୂରରେ ୩ ଏକର ଜମିରେ ସମୁଦ୍ର ପତନ ଠାରୁ ୪୫ ମିଟର ଉଚ୍ଚତା ବିଶିଷ୍ଟ ବତିଘର ସମୁଦ୍ରରେ ଯାଆସ କରୁଥିବା ଜାହାଜ, ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଛୋଟ ବଡ଼ ମାଛଧରା ଡଙ୍ଗା ପାଇଁ ରାତି ସମୟରେ ମାର୍ଗଦର୍ଶକ ସାଜି ଆସିଛି। ପ୍ରାୟ ୨୬ ମାଇଲ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ଅତି ଉଜ୍ଜଳ ଆଲୋକ ବ୍ୟବସ୍ଥା ଏହାର ଅନ୍ୟତମ ଆକର୍ଷଣ ଅଟେ। ୪୫୦ ୱାଟ୍ କ୍ଷମତାସମ୍ଫନ୍ନ ଉଜ୍ଜ୍ୱଳ ସ୍ବତନ୍ତ୍ର ବଲବ ସହ ପ୍ରିଜିୟମ୍ ଲେନ୍ସ, ବୁଲ୍ ଆଇ ସହ ମ୍ୟାଗ୍ନିଫାଇଂ ପ୍ରିଜିୟମ୍ ଗ୍ଲାସ ହେତୁ ଏହାର ଆଲୁଅ ବହୁ ଦୂର ପର୍ଯ୍ୟନ୍ତ ପଡ଼ିଥାଏ। ଏପ୍ରିଲ ମାସରୁ ପର୍ଯ୍ୟଟକଙ୍କୁ ବତିଘର ଉପରକୁ ଯିବା ସକାଶେ ଅନୁମତି ଦିଆଯିବା ପରେ ଏହି ପର୍ଯ୍ୟଟନ ସ୍ଥଳ ଆହୁରି ବିକଶିତ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ ମହଲରେ ମତ ପ୍ରକାଶ ପାଇଛି।