Odia News Portal

ପୁଣି ବାଇକ୍‌ ଲୁଟେରା ଆତଙ୍କ: ଶିଶୁର ମୁଣ୍ଡରେ ବନ୍ଧୁକ ରଖିଲେ, ସୁନା ଅଳଙ୍କାର ଲୁଟିଲେ

ନୀଳଗିରିରେ ପୁଣି ନାଲି ବାଇକ୍‌ ଲୁଟେରା ଆତଙ୍କ ଦେଖାଯାଇଛି। ଦୁର୍ବୃତ୍ତମାନେ ଆଜି ଅପରାହ୍‌ଣରେ ଅପାଚେରେ ଆସି ବନ୍ଧୁକ ଦେଖାଇ ସୁନାଗହଣା ଲୁଟିଛନ୍ତି। ଏପରି ଏକ ଘଟଣା ନୀଳଗିରି ଥାନା ଅଧିନ ସଜନାଗଡ଼ସ୍ଥିତ ତିନିକୋଶିଆ ଜଙ୍ଗଲ ମଝିରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ବରହମପୁର ଗ୍ରାମର ବିବେକ ଚୌଧୁରୀ ତାଙ୍କ ଖୁଡ଼ି ସୁମିତ୍ରା ଚୌଧୁରୀ ଓ ତାଙ୍କ ଶିଶୁ ପୁତ୍ରକୁ ଧରି ନୀଳଗିରିରୁ ଘରକୁ ଫେରୁଥିବା ସମୟରେ ସଜନାଗଡସ୍ଥିତ ତିନିକୋଶିଆ ଜଙ୍ଗଲ ମଝିରେ ତିନିଜଣ ଦୁର୍ବୃତ୍ତ ନାଲି ରଙ୍ଗର ଅପାଚେରେ ଆସି ବିବେକଙ୍କ ଗାଡ଼ିକୁ ଅଟାକାଇବା ସହିତ ଛୋଟ ଶିଶୁର ମୁଣ୍ଡରେ ବନ୍ଧୁକ ଲଗାଇ ସୁନା କାନଫୁଲ, ପଲା ଓ ଅନ୍ୟ ଅଳଙ୍କାର ଲୁଟି ନେବା ପରେ ୧୯ନଂ ରାଜ୍ୟ ରାଜପଥର ନୀଳଗିରି ଅଭିମୁଖେ ଦ୍ରୁତଗତିରେ ପଳାଇଯାଇଥିଲେ। ନୀଳଗିରି ପୁଲିସ ଉକ୍ତ ଘଟଣା ସଂପର୍କରେ ସୂଚନା ପାଇବା ପରେ ନିକଟସ୍ଥ ଦୋକାନ ଗୁଡିକରୁ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ନୀଳଗିରି ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଇକ୍‌ରେ ଆସି ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି।