୨୦୨୬ ମୌସୁମୀ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ଜୁନ୍ ୨୪ ରୁ ୨୫ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ ଏବଂ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ।
ଜୁନ୍ ୨୨-୨୩ ପରେ ନିମ୍ନ-ସ୍ତରୀୟ ଜେଟ୍ (Low-Level Jet) କ୍ରମେ ଶକ୍ତିଶାଳୀ ହେବା ସହ ଭାରତୀୟ ଉପମହାଦେଶକୁ ଆର୍ଦ୍ରତାର ପ୍ରବାହ ବଢ଼ାଇବ। ବିଭିନ୍ନ ପାଣିପାଗ ମଡେଲ୍ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ଗଠନ ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି।
ଏହି ପ୍ରଣାଳୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ଶକ୍ତି ଯୋଗାଇବା ସହ ଓଡ଼ିଶା, ପୂର୍ବ ଓ ମଧ୍ୟ ଭାରତରେ ବର୍ଷାର ପରିମାଣ ବଢ଼ାଇପାରେ। ସେହିପରି ମୌସୁମୀ ବାୟୁର ଆଗକୁ ଅଗ୍ରସର ହେବାରେ ମଧ୍ୟ ଏହା ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତେବେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଗରମ ଓ ଗୁଳୁଗୁଳିର ପ୍ରଭାବ ଜାରି ରହିଛି। ପୂର୍ବାନୁମାନ ଅନୁସାରେ, ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ବଡ଼ ଧରଣର ବର୍ଷାର ସମ୍ଭାବନା କମ୍ ରହିଥିବା ବେଳେ ଲୋକମାନଙ୍କୁ ଅସହ୍ୟ ଗରମରୁ ତୁରନ୍ତ ଆଶ୍ୱସ୍ତି ମିଳିବାର ସମ୍ଭାବନା ମଧ୍ୟ କମ୍।
ଅନ୍ୟପଟେ, ମୌସୁମୀ ବାୟୁ କ୍ରମେ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ। ଏହା ସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ପଡ଼ୋଶୀ ଅଞ୍ଚଳମାନେ ମଧ୍ୟ ଶକ୍ତିଶାଳୀ ମୌସୁମୀ ବାୟୁ ପ୍ରବାହର ପ୍ରଭାବ ଅନୁଭବ କରିପାରନ୍ତି।
