Odia News Portal

ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ କାଏମ ରଖିଲେ କର୍ଣ୍ଣାଟକ ହାଇକୋର୍ଟ

ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଆସିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣାକୁ ହାଇକୋର୍ଟ କାଏମ ରଖିଛନ୍ତି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ହିଜାବ ଇସଲାମରେ ଅନିର୍ବାଯ୍ୟ ନୁହେଁ ଏବଂ ସ୍କୁଲ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଏଥିସହ ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାକୁ ଅନୁମତି ପାଇଁ ଦାୟର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ହିଜାବ କଟକଣାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପାଞ୍ଚଟି ପିଟିସନ ଦାୟର ହୋଇଥିଲା ।

ହିଜାବ ବିବାଦ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ କର୍ଣ୍ଣାଟକର ଅନେକ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଥିଲା ।

ହିଜାବ ମାମଲାରେ ରାୟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସମାବେଶ, ପ୍ରତିବାଦ ସଭା ଉପରେ କଟକଣା ଲଗାଯାଇଛି। ହିଜାବ ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଦକ୍ଷିଣ କନ୍ନଡ ଜିଲାପାଳ ଆସନ୍ତାକାଲି (ମାର୍ଚ୍ଚ ୧୫) ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ଣ୍ଣାଟକ ସରକାର ଏହି ମାମଲାରେ କୋର୍ଟଙ୍କୁ କହିଥିଲେ ଯେ କେବଳ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ସହ ଜଡିତ କଟକଣା ବ୍ୟତୀତ ଦେଶରେ ଆଉ କେଉଁଠି ହିଜାବ ଉପରେ କୌଣସି ପ୍ରକାର କଟକଣା ନାହିଁ।

କର୍ଣ୍ଣାଟକର ଉଡୁପିରେ ପ୍ରଥମେ କିଛି କଲେଜରେ ହିଜାବ ପିନ୍ଧିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ଏହି ବିବାଦ ରାଜ୍ୟର ଅନ୍ୟ କଲେଜକୁ ମଧ୍ୟ ବ୍ୟାପିଥିଲା । ମୁସଲିମ ଛାତ୍ରୀମାନେ ଯୁକ୍ତି କରିଥିଲେ ଯେ ସମ୍ବିଧାନ ଅନୁଯାୟୀ ହିଜାବ ପିନ୍ଧିବା ସେମାନଙ୍କ ଧାର୍ମିକ ସ୍ୱାଧୀନତା ଅଟେ | କୌଣସି କଲେଜ କର୍ତ୍ତୃପକ୍ଷ ହିଜାବ ପିନ୍ଧିବା ଉପରେ କଟକଣା ଲଗାଇ ପାରିବେ ନାହିଁ ବୋଲି ସେମାନେ ଯୁକ୍ତି କରିଥିଲେ । ଏହା ପରେ କିଛି ମୁସଲିମ ସଂଗଠନ ଏବଂ ଛାତ୍ରଛାତ୍ରୀ ଏହି ମାମଲା ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।